ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମହିଳା ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୧୦୦ ଜଣ ନାରୀ ଶିଳ୍ପୀମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳାକୁ ନେଇ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଆୟୋଜିତ ଏକ ସୁସଜ୍ଜିତ ଚିତ୍ର ପ୍ରଦର୍ଶନୀକୁ ଆଜି ସନ୍ଧ୍ୟାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟାଧୀଶ ଡ. ଏସ୍. ମୁରଲୀଧରଙ୍କ ଦ୍ଵାରା ଉଦ୍‌ଘାଟନ କରିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ଲଳିତ କଳା ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ପ୍ରଦର୍ଶନୀ ବୁଲାଇ ଦେଖାଇଥିଲେ। ନାରୀ ଚିତ୍ରଶିଳ୍ପୀମାନଙ୍କ ଦ୍ଵାରା ନିଖୁଣ ଭାବେ ଅଙ୍କନ କରାଯାଇଥିବା ଚିତ୍ର ଓ ଚରିତ୍ରଗୁଡ଼ିକ ଚମତ୍କାର ହୋଇଛି ବୋଲି ମାନ୍ୟବର ମୁଖ୍ୟ ବିଚାରପତି ପ୍ରକାଶ କରିଛନ୍ତି।

ମହିଳା ଦିବସ ଅବସରରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟତଃ ନାରୀମାନଙ୍କ ଦୈନନ୍ଦିନ ଜୀବନ ଏବଂ ବିଭିନ୍ନ ଦେବୀଙ୍କ ଉପରେ ଆଧାରିତ ଚିତ୍ରକଳାଗୁଡ଼ିକ ବେଶ୍ ପ୍ରଶଂସନୀୟ ହୋଇଥବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି। ପ୍ରଦର୍ଶିତ ଚିତ୍ରଗୁଡ଼ିକ ବେଶ୍ ଆକର୍ଷଣୀୟ ହୋଇଛି ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଏକାଡେମୀ ଦ୍ଵାରା ଚଳିତ ମାର୍ଚ୍ଚ ମାସ ୨ରୁ ୪ ତାରିଖ ପର୍ଯ୍ୟନ୍ତ କୋରାପୁଟଠାରେ ଆଦିବାସୀ ନାରୀ ଶିଳ୍ପୀଙ୍କୁ ନେଇ ଆଦିବାସୀ ଚିତ୍ରକଳା ଶିବିର, ମାର୍ଚ୍ଚ ୪ରୁ ୬ ତାରିଖ ପର‌୍ୟ୍ୟନ୍ତ ୨୦ ଜଣ ନାରୀ ଶିଳ୍ପୀଙ୍କ ନେଇ ରାଉରକେଲାରେ ଚିତ୍ରକଳା ଶିବିର ଆୟୋଜିତ ହୋଇଥିବାବେଳେ ଦାରିଙ୍ଗବାଡ଼ିଠାରେ ୩୭ ଜଣ ଓ ପୁରୀଠାରେ ୧୦ ଜଣ, ଭୁବନେଶ୍ୱରଠାରେ ୧୦ ଜଣ ନାରୀ ଶିଳ୍ପୀଙ୍କୁ ନେଇ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଥିଲା।