ପୌର ପ୍ରଚାର ଲାଗି କରୋନା କଟକଣା ନାହିଁ: ଏସ୍‌ଇସି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚହୋଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ବିଧିବଦ୍ଧ ପ୍ରଚାର କାର୍ଯ୍ୟ ଆରମ୍ଭ ହେବ। ତେବେ ଏଥର ପୌର ନିର୍ବାଚନ ପ୍ରଚାରରେ କରୋନାର କୌଣସି କଟକଣା ରଖାଯାଇ ନାହିଁ। ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ପାଢ଼ୀ ଜଣାଇଛନ୍ତି ଯେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା ୨୦୦ରୁ କମ୍ ଆସୁଛି। ପଜିଟିଭିଟି ରେଟ୍ ଆଗ ଅପେକ୍ଷା କମିଛି। ଏଣୁ ପ୍ରାର୍ଥୀମାନଙ୍କୁ ପ୍ରଚାର କାର୍ଯ୍ୟରେ କୌଣସି ପ୍ରକାର କଟକଣା ଅନୁପାଳନ କରିବାକୁ ପଡ଼ିବନାହିଁ। ପୂର୍ବ ନିର୍ବାଚନମାନଙ୍କରେ ଯେଭଳି ପ୍ରଚାର କାର୍ଯ୍ୟ ହେଉଥିଲା, ସେହି ଡଙ୍ଗରେ ଚଳିତ ନିର୍ବାଚନରେ ହେବ। ତେବେ ନିକଟ ଭବିଷ୍ୟତରେ ଯଦି ସଂକ୍ରମଣ ମାମଲାରେ ବୃଦ୍ଧିଘଟେ ବା ଭୟାବୟ ପରିସ୍ଥିତି ଆସେ, ତେବେ ସେ କ୍ଷେତ୍ରରେ କମିଶନ ବିଚାରକରି ପରବର୍ତ୍ତୀ ନିଷ୍ପତ୍ତି ନେବେ।

ମତଦାନ ସମ୍ପର୍କରେ ସେ କହିଛନ୍ତି ଯେ ଏଥର ରାଜ୍ୟର ୧୦୬ ଏନ୍‌ଏସି/ମ୍ୟୁନିସିପାଲିଟିର ୧୭୩୧ ୱାର୍ଡ଼ ଅନ୍ତର୍ଗତ ୩୦୩୦ ବୁଥ୍ ଏବଂ ୩ ମହାନଗର ନିଗମର ୧୬୮ଟି ୱାର୍ଡ ଅନ୍ତର୍ଗତ ୧୪୦୭ଟି ବୁଥ୍‌ରେ ମତଦାନ ଅନୁଷ୍ଠିତ ହେବ। ପ୍ରତି ବୁଥ୍‌ରେ ଜଣେ ଲେଖାଏଁ ପ୍ରିଜାଇଡ଼ିଂ ଅଫିସର ଏବଂ ତାଙ୍କୁ ସହଯୋଗ କରିବା ଲାଗି ୪ଜଣ ପୋଲିଂ ଅଫିସର ରହିବେ। ଆଗରୁ ଜଣେ ପ୍ରିଜାଇଡ଼ିଂ ଅଧିକାରୀଙ୍କ ସହ ୩ ଜଣ ପୋଲିଂ ଅଧିକାରୀ ରହୁଥିଲେ। ହେଲେ ଏଥର ପୌରାଧ୍ୟକ୍ଷ ତଥା ମେୟର ପଦଲାଗି ସ୍ୱତନ୍ତ୍ର ମତଦାନ ହେଉଥିବାରୁ ପ୍ରତି ବୁଥ୍‌ରେ ଦୁଇଟି ଲେଖାଏ ଇଭିଏମ୍ ରହୁଛି। ଏଣୁ ଏହାକୁ ବିଚାର କରି ଅଧିକ ଜଣେ ଲେଖାଏ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ଯଦି କୌଣସି ପୋଲିଂ ଅଧିକାରୀ ନିଜ ଅଞ୍ଚଳରେ ମୂତୟନ ହୋଇଥିବେ, ତେବେ ସେଠାରେ ସେ ସ୍ୱତନ୍ତ୍ର ଭାବେ ପ୍ରଦତ୍ତ ପ୍ରମାଣପତ୍ର ଦେଖାଇ ଭୋଟ୍ ଦେଇପାରିବେ। ଅନ୍ୟମାନେ ମଧ୍ୟ ବାଲାଟ୍ ଜରିଆରେ ମତାଧିକାର ସାବ୍ୟସ୍ତ କରିପାରିବେ। ହେଲେ ଏଥିପାଇଁ ଆଗୁଆ ଅନୁମତି ନେବାକୁ ପଡ଼ିବ। ମତଦାନ ପରେ ଇଭିଏମ୍‌ର ସୁରକ୍ଷା ପାଇଁ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍ ପରିଚାଳନା ଲାଗି ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଶ୍ରୀ ପାଢ଼ୀ ଜଣାଇଛନ୍ତି।