ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅପହୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ସରକାରୀ ବାସଭବନରୁ କିଛି ଦୁର୍ବୁତ୍ତ ଅପହରଣ କରି ନେଇଛନ୍ତି। ଏନେଇ ଆଜି ସକାଳେ ଝାରସୁଗୁଡ଼ା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ମନୋରଞ୍ଜନଙ୍କୁ ଉଦ୍ଧାର କରାଯାଇ ପୁଲିସ ସୁରକ୍ଷାରେ ରଖାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର ସୂଚନା ଦେଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ରେ କିଛି ଦୁର୍ବୁତ୍ତ ମନୋରଞ୍ଜନଙ୍କ ଘରକୁ ଆସି କବାଟ ବାଡ଼େଇଥିଲେ। ମନୋରଞ୍ଜନ କବାଟ ଖୋଲିବା ମାତ୍ରକେ ଦୁବୁର୍ତ୍ତମାନେ ବନ୍ଧୁକ ମୁନରେ ତାଙ୍କୁ ଉଠାଇ ନେଇ ଏକ ଧଳା ବୋଲେରରେ ବଲାଙ୍ଗିର ପଟେ ଯାଇଥିଲେ। ସେଠାରେ କୋସିଙ୍ଗା ଓ ବଲାଙ୍ଗିର ମଝିରେ ଉତକେଲା ପାଖରେ ମନୋରଞ୍ଜନଙ୍କଠାରୁ କିଛି ଟଙ୍କା ନେଇ ଦୁର୍ବୁତ୍ତମାନେ ତାଙ୍କୁ ରାସ୍ତାରେ ଛାଡ଼ି ଦେଇଥିଲେ। ତେବେ ମନୋରଞ୍ଜନଙ୍କୁ କାହିଁକି ଅପହରଣ କରାଯାଇଥିଲା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଭଷ୍ମା ବ୍ରିଜ ନିକଟରୁ ଗ୍ରାମ ଉନ୍ନୟନ ବିଭାଗର ଜୁନିୟର ଇଂଜିନିୟରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ସହ ଏହି ଅପହରଣର କୌଣସି ସମ୍ବନ୍ଧ ଅଛି ନା ନାହିଁ ସେ ବିଷୟରେ ମଧ୍ୟ ପୁଲିସ ତଦନ୍ତ କରୁଛି।