ଅବକାରୀ ବିଭାଗର ଚଢ଼ଉ: ୧୫୦ ଲିଟର ଦେଶୀ ମଦ ସହ ୨ ହଜାର ଲିଟର ମହୁଳ ପୋଚ ଜବତ, ୩ ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ଅବକାରୀ ବିଭାଗ କମିସନରଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପାଟଣାଗଡ଼ ତୁଷୁରା ଓ ସଦର ଅବକାରୀ ବିଭାଗ ପାଟଣାଗଡ ବ୍ଲକ୍ ରେଙ୍ଗାଲି ଗ୍ରାମରେ ମିଳିତ ଚଢ଼ଉ କରିଛି। ସେଠାରୁ ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ସରଞ୍ଜାମ, ୧୫୦ ଲିଟର ଦେଶୀ ମଦ ଜବତ ସହ ୨ ହଜାର ଲିଟର ମହୁଲ ପୋଚ ନଷ୍ଟ କରିଦେଇଥିବା ଜଣାଯାଇଛି। ଏହି ଚଢ଼ଉରେ ବଲାଙ୍ଗିର ମୋବାଇଲ ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ୱନାଥ ପରିପା, ସଦର ଇନ୍ସପେକ୍ଟର ରୋଶନ ହଂସଦା, ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ସାମିଲ ଥିଲେ।

ଘଟଣାସ୍ଥଳରୁ ୩ ଜଣ ଆସାମୀକୁ ଧରି ପାଟଣାଗଡ ଅବକାରୀ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିବା ପରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ନୂଆଖାଇ ଥିବାରୁ ପ୍ରତ୍ୟେକ ଗ୍ରାମ ମାନଙ୍କରେ ମଦର ଆସର ଜମିଥାଏ ତେଣୁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଚଢ଼ଉ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଦର ଇନ୍ସପେକ୍ଟର ରୋଶନ ହଂସଦା, ବାଲୁ ସେଠୀ, ଅଜିତ ସାହୁ, ଆର ଷଡଙ୍ଗୀ, ଲୋଇସିଂହା ଓ ତୁଷୁରା ଅବକାରୀ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।

ରେଙ୍ଗାଲି ଗ୍ରାମର ଥବୀର ବିଭାର, ମୁକ୍ତେଶ୍ୱର ନାୟକ ଓ ରାଜେନ୍ଦ୍ର ହରିପାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ମୋବାଇଲ ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।