ଲକ୍ଷ୍ନୌ,ଏଜେନ୍ସି: ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାତିଙ୍କୁ ପିଟି ପିଟି ହତ୍ୟା । ଉତ୍ତରପ୍ରଦେଶର ମାଉ ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କେଦାର ସିଂଙ୍କ ନାତିକୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି କୋପାଗଞ୍ଜ ପୋଲିସ ଷ୍ଟେସ ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ହିମାଂଶୁ ସିଂ । ମହୁଆରା ଗ୍ରାମରେ ୭-୮ ଜଣ ବ୍ୟକ୍ତି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଏନେଇ ମାଉର ଅତିରିକ୍ତ ପୋଲିସ ଅଧୀକ୍ଷକ ତ୍ରିଭୁବନ ନାଥ ତ୍ରିପାଠୀ କହିଛନ୍ତି ଯେ, ଏନେଇ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କେଦାର ସିଂଙ୍କ ନାତି । ୧୯୮୦ ମସିହାରେ ଘୋଷି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ ।
ଗତ ଶନିବାର ମୃତକ ହିମାଂଶୁ ସିଂ କୋପାଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଲାଏରୋ ଡୋନୱାର ଗାଁର ଏକ ପଞ୍ଚାୟତକୁ ଯାଇଥିବା ବେଳେ ସେଠାରେ କିଛି ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ୭-୮ ଜଣ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ବାଡ଼ିରେ ପିଟି ପିଟି ମାଧୁଆର ଗାଁରେ ଫୋପାଡି ଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣକୁ ନେଇ ହିମାଂଶୁଙ୍କ ସହ ଆକ୍ରମଣ କିରଥିବା ବ୍ୟକ୍ତିଙ୍କ ଯୁକ୍ତି ତର୍କ ହୋଇଥିଲା ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ କାହାରିକୁ ମଧ୍ୟ ଗିରଫ କରାଯାଇନାହିଁ । ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ।