ଭୁବନେଶ୍ବର,ଏନ୍ଏନ୍ଏସ୍: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ତମ ବୈଠକ ଭୁବନେଶ୍ବର ଏମ୍ସରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ସବୁ ଏମ୍ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି କାର୍ଯ୍ୟ କରିଥାଏ । ସିଆଇବି ବୈଠକରେ ମୁଖ୍ୟତଃ ପୂର୍ବ ସିଆଇବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ସମୀକ୍ଷା କରାଯାଇଥିଲା ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ବୈଠକରେ ଅଧକ୍ଷତା କରି କହିଛନ୍ତି ଯେ, ”ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆଇବି ବୈଠକ ଆୟୋଜନ କରାଯାଉଛି । ସିଆଇବି ବୈଠକରେ କେବଳ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ସମୀକ୍ଷା କରାଯାଇନଥାଏ ବରଂ ଭିନ୍ନ ଦୃଷ୍ଟିକୋଣ, ନୂତନ ଉପାୟ, ଅଭିନବ ସମାଧାନ ଓ ପରାମର୍ଶ ଉପସ୍ଥାପନ କରିବା ଲାଗି ଏହା ଏକ ଚିନ୍ତନ ଶିବିର । ଦେଶର ସବୁ ଏମ୍ସ ଗୁଡ଼ିକ ଜଟିଳ ରୋଗ ଚିକିତ୍ସା ପାଇଁ ଗୁରୁତ୍ବପୂର୍ଣ୍ଣ ଜାତୀୟ ସଂସ୍ଥାନ ଭାବେ କାର୍ଯ୍ୟ କରିଥାନ୍ତି । ଏହି ସଂସ୍ଥାନଗୁଡ଼ିକୁ ବିଶ୍ବସ୍ତରୀୟ ଉତ୍କର୍ଷ ସଂସ୍ଥାନରେ ପରିଣତ କରିବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଉନ୍ନତ ଗୁଣବତ୍ତା, କ୍ଲିନିକାଲ ଚିକିତ୍ସା, ଡାକ୍ତରୀ ଶିକ୍ଷାର ଉଚ୍ଚତମ ମାନକ ଏବଂ ଆଧୁନିକ ଗବେଷଣା ସହିତ ଏମ୍ସଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ।