ୟୁରୋପୀୟ ପ୍ରତିନିଧି ଦଳର ଜମ୍ମୁ-କଶ୍ମୀର ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପରିସ୍ଥିତି ଅନୁଧ୍ୟାନ ପାଇଁ ୟୁରୋପୀୟ ସଂଘ (ଇୟୁ)ର ଏକ ୨୫ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ସେଠାକୁ ଯାଉଛନ୍ତି। ଏହି ପ୍ରତିନିଧିଦଳ କଶ୍ମୀର ଯିବା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ। ସେମାନେ ମଧ୍ୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ।

ଇୟୁର ପ୍ରତିନିଧିଦଳ ଭେଟିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟିମକୁ କହିଥିଲେ ଆତଙ୍କବାଦକୁ ଆଦୌ ବରଦାସ୍ତ କରାଯିବା ଉଚିତ ନୁହେଁ। ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି କିମ୍ବା ଆତଙ୍କବାଦକୁ ରାଷ୍ଟ୍ରନୀତି କରୁଛନ୍ତି ସେମାନଙ୍କ ବିରୋଧରେ ବିଶ୍ୱସମୁଦାୟ ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଜମ୍ମୁ-କଶ୍ମୀରର ୩୭୦ ଧାରା ଉଚ୍ଛେଦ ଓ ରାଜ୍ୟ ପୁନର୍ଗଠନ ପରେ ପ୍ରଥମକରି ସେଠାକୁ ୟୁରୋପୀୟ ସଂଘ ପ୍ରତିନିଧି ଦଳ ଯାଉଛନ୍ତି। ଏହି ଟିମ୍ ସେଠାକୁ ଗଲେ ଜମ୍ମୁ-କଶ୍ମୀରର ବାସ୍ତବ ପରିସ୍ଥିତି ସମ୍ପର୍କରେ ଅବଗତ ହେବା ସହିତ ସେଠାର ଧର୍ମ, ସଂସ୍କୃତି ସମ୍ପର୍କରେ ମଧ୍ୟ ଜାଣିପାରିବେ।

ମୋଦୀଙ୍କୁ ଭେଟିବା ପରେ ଇୟୁ ସଂସଦୀୟ ଦଳର ସଦସ୍ୟ ବିଏନ୍ ଡୁନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ୩୭୦ ଧାରା ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଛନ୍ତି। କିନ୍ତୁ ଆମେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମଙ୍ଗଳବାର କଶ୍ମୀର ଯାଉଛୁ।

ଉଲ୍ଲେଖଯୋଗ୍ୟ ଏଥିପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ଆମେରିକା ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ସିନେଟର୍ କ୍ରିସ୍ ଭାନ୍ ହୋଲେନ୍ ଜମ୍ମୁ-କଶ୍ମୀର ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ ମଧ୍ୟ ତାଙ୍କୁ ସରକାର ଅନୁମତି ଦେଇନଥିଲେ। ଜମ୍ମୁ-କଶ୍ମୀରକୁ ବୁଲି ଯିବାପାଇଁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ସରକାର ତାଙ୍କୁ କହିଥିବା ହୋଲେନ୍ ପ୍ରକାଶ କରିଥିଲେ।