ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଦେଲା ଝଟକା: ଟି-୨୦ ଶୃଙ୍ଖଳା ଖେଳିବାକୁ ଯିବନି ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ଇଂଲଣ୍ଡ ନିଜର ପାକିସ୍ତାନ ଗସ୍ତ ବାତିଲ କରିଦେଇଛି। ଅକ୍ଟୋବରରେ ପାକିସ୍ତାନରେ ଇଂଲଣ୍ଡର ଟିମ ଟି-୨୦ ମ୍ୟାଚର ଶୃଙ୍ଖଳା ଖେଳିବାର କ୍ରୀଡ଼ାସୂଚୀ ଥିଲା। ତେବେ ଇଂଲଣ୍ଡର ଟିମ ଏଠାରେ ଟି-୨୦ ବିଶ୍ୱକପ ପୂର୍ବରୁ ୨ଟି ଟି-୨୦ ମ୍ୟାଚର ଶୃଙ୍ଖଳାକୁ ବାତିଲ କରିଦେଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏନେଇ ଦୁଃଖ ଜଣାଇଛି। ଏହା ପୂର୍ବରୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ନିଜର ଗସ୍ତ ବାତିଲ କରିଦେଇଥିଲା। ନ୍ୟୁଜିଲାଣ୍ଡ ସୁରକ୍ଷାର ଆଳ ଦେଖାଇ ନିଜର ଗସ୍ତ ରଦ୍ଦ କରିଥିଲା। ସେଥିପାଇ ରାଓଲପିଣ୍ଡର ଷ୍ଟାଡିୟମ ଯିବାକୁ ମନା କରିଦେଇଥିଲା। ଏଠାରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ଏକଦିବସୀୟ ମ୍ୟାଚ ଖେଳାଯିବାର ଥିଲା।

ଅନ୍ୟପଟେ ନ୍ୟୁଜିଲାଣ୍ଡର ଟିମ ପାକିସ୍ତାନ ଗସ୍ତ ବାତିଲ କରି ସ୍ୱଦେଶ ଫେରି ଆସିବା ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ଆରମ୍ଭ ହୋଇଯାଇଥିଲା। ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ଏହାକୁ ନେଇ ଟୁଇଟ୍ କରିଥିଲେ। ମାଇକେଲ ଭନ ନ୍ୟୁଜିଲାଣ୍ଡର ଟିମର ଗସ୍ତ ବାତିଲ କରିବା ନିଷ୍ପତ୍ତିକୁ ପାକିସ୍ତାନ ପାଇଁ ଲଜ୍ଜାଜନକ କହିଛନ୍ତି।