ରଂଗାରଂଗ କାର୍ଯ୍ୟକ୍ରମ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ, ଭାରତର ନେତୃତ୍ୱ ନେଲେ ସିଦ୍ଧୁ-ମନପ୍ରୀତ

ବର୍ମିଂହାମ, ଜୁଲାଇ ୨୯ (ଖବର ଓଡ଼ିଶା): ବହୁପ୍ରତୀକ୍ଷିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗୁରୁବାର (୨୦୨୨ ଜୁଲାଇ ୨୮) ଆରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହ ଅବସରରେ କଳାକାରମାନେ ପାରଂପରିକ ଓ ଆଧୁନିକ ନୃତ୍ୟ-ଗୀତର ରଂଗାରଂଗ କାର୍ଯ୍ୟକ୍ରମର ପ୍ରସ୍ତୁତି ଦେଇଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଶ୍ୱବ୍ୟାପୀ ଏଥର ପ୍ରାୟ ୫୦୦୦ କ୍ରୀଡ଼ାବିତ୍ ୨୦ଟି କ୍ରୀଡ଼ା ପାଇଁ ୨୮୦ଟି ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଭାରତର ୨୧୫ ଜଣ ଏଥଲେଟ ସାମିଲ ହୋଇଛନ୍ତି, ଯେଉଁମାନେ କି ୧୬ଟି ଖେଳରେ ଭାଗ ନେବେ । ଅଲିମ୍ପିକ୍ସ ପରେ ଦ୍ୱିତୀୟ ନମ୍ବରର ଖେଳର ମହାକୁମ୍ଭ ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି ।

ଭାରତୀୟ ଦୌଡ଼କୁଦ ଦଳରେ ଓଡ଼ିଆ ତାରକା ଦୂତି ଚାନ୍ଦ ସାମିଲ ହୋଇପାରିଛନ୍ତି । ଦୂତି ୧୦୦ ମିଟର ବର୍ଗରେ ଦୌଡ଼ିବାର ସୁଯୋଗ ପାଇଛନ୍ତି । ଦୂତିଙ୍କ ବ୍ୟତୀତ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦଙ୍କ ସହ ଦୂତି ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ଦୌଡ଼ିବାର ଆଶା କରାଯାଉଛି । ଦୂତି ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି ।

ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଶଟଲର ପିଭି ସିଦ୍ଧୁ ଓ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ବର୍ମିଂହାମ-୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନୀ ସମାରୋହରେ ଭାରତର ପତାକା ଧରି ଦେଶର ନେତୃତ୍ୱ ନେଇଥିଲେ । ରିୟୋ-୨୦୧୬ ଅଲିମ୍ପିକ୍ସ ଓ ଟୋକିଓ-୨୦୨୦ ଅଲିମ୍ପିକରେ ପଦକ ଜିତିଥିବା ସିଦ୍ଧୁ ଭାରତର ସବୁଠାରୁ ସବୁଠାରୁ ସଫଳ ଏଥଲେଟରେ ସାମିଲ ଅଛନ୍ତି ।