ସୋପାରରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର, ୨ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ସୋପାରରେ ସେନାର ଯବାନମାନେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ୨ ଜଣ ସଦସ୍ୟଙ୍କୁ ନିହତ କରିଛନ୍ତି। କଶ୍ମୀର ପୁଲିସର ଆଇଜି ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏମାନେ ଉତ୍ତର କଶ୍ମୀର ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଥିଲେ।

ବାରାମୂଲା ଜିଲ୍ଲାର ସୋପାର ନିକଟ ବାରପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀର ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଯବାନମାନେ କାଳ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇପଡ଼ିଥିଲେ। ସେମାନେ ପ୍ରଥମେ ବନ୍ଧୁକ ଚଳାଇଥିଲେ। ପରେ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି।