ଓଡ଼ିଶାରେ ଡେଲଟା ଭାରିଆଣ୍ଟର ପ୍ରକୋପ

୧୯୪୮ ନୂଆ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଆଉ ୬୭ ବଢ଼ିଲା

  • ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଡେଲଟା ଭାଇରସ୍ ହିଁ ସର୍ବାଧିକ ଲୋକଙ୍କୁ ସଂକ୍ରମିତ କରିଛି। ଭାରତରେ ୬୫ ହଜାର ସଂକ୍ରମିତଙ୍କ ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୯୬% ଲୋକଙ୍କ ଡେଲଟା ଭାଇରସ୍ ଯୋଗୁଁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ଆଇଆଏଲଏସ୍ ୩ ହଜାର ସଂକ୍ରମିତଙ୍କ ନମୁନା ପରୀକ୍ଷା କରିଥିଲା। ଗତ ଜୁଲାଇ ପ୍ରଥମାର୍ଦ୍ଧରେ ଆଇଏଲଏସ୍ ରାଜ୍ୟରେ ଯେତିିକି ପରୀକ୍ଷା କରିଛି, ସେଥିରୁ ପ୍ରାୟ ୯୩% ସଂକ୍ରମିତଙ୍କ ନମୁନାରୁ ଡେଲଟା ଭାଇରସ୍ ଚିହ୍ନଟ ହୋଇଛି ଅର୍ଥାତ ଓଡ଼ିଶାରେ ବି ୯୩% କରୋନା ରୋଗୀ ଡେଲଟା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ଏହି ତଥ୍ୟ ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା।
    ଡା. ପରିଡ଼ା ଗଣମାଧ୍ୟମକୁ କହିଛନ୍ତି, ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ କରୋନା ସଂକ୍ରମିତ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି। ପ୍ରଥମ ଲହରବେଳେ କରୋନା ସଂକ୍ରମିତ ପଜିଟିଭରୁ ନେଗେଟିଭ୍ ହେବାକୁ ପ୍ରାୟ ଦୁଇ ସପ୍ତାହ ଲାଗୁଥିଲା। ମାତ୍ର କରୋନାର ଦ୍ୱିତୀୟ ଲହରରେ ଅନେକ ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ କରୋନା ଭାଇରସ୍ ପ୍ରାୟ ୩ ସପ୍ତାହରୁ ଅଧିକ ଦିନ ସକ୍ରିୟ ରହୁଥିବା ଜଣାପଡ଼ିଛି।
    ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୯୩୭୨ ନମୁନାରୁ ୧୯୪୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୪୮୦, କଟକରୁ ୨୭୯, ଯାଜପୁରରୁ ୧୧୫, ଜଗତସିଂହପୁରରେ ୧୧୩, କେନ୍ଦ୍ରାପଡ଼ାରୁ ୧୧୨, ବାଲେଶ୍ୱରରୁ ୯୮, ଅନୁଗୁଳରୁ ୮୫, ନୟାଗଡ଼ରୁ ୮୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ରାଜ୍ୟରେ ୨୨୧୦ଜଣ କରୋନାମୁକ୍ତ ହୋଇଛନ୍ତି। କରୋନା ମୃତ୍ୟୁ ତାଲିକାରେ ଆଉ ୬୭ ସଂଖ୍ୟା ଯୋଡ଼ି ହୋଇଛି ।
    ଦୈନିକ ସଂକ୍ରମଣ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ପଜିଟିଭ୍ ହାର ୨.୪୫% ରହିଛି। ମୋଟ ୬ ଜିଲ୍ଲାରେ ସଂକ୍ରମଣ ହାର ୩% ଉପରେ ଅଛି। ପୁରୀରେ ସର୍ବାଧିକ ପଜିଟିଭ ହାର ୮.୭% ଥିବାବେଳେ କଟକରେ ୪.୨%, ଜଗତସିଂହପୁରରେ ୪.୨%, ଖୋର୍ଦ୍ଧାରେ ୪.୧%, କେନ୍ଦ୍ରାପଡ଼ାରେ ୩.୭%, ଯାଜପୁରରେ ୩.୬% ଅଛି। ଭଦ୍ରକରେ ପଜିଟିଭ୍ ହାର ୨.୨, ବାଲେଶ୍ୱରରେ ୨.୯%, ମୟୂରଭଞ୍ଜରେ ୨.୮%, ଢେଙ୍କାନାଳରେ ୨.୪%, ଅନୁଗୁଳରେ ୨% ଓ ନୟାଗଡ଼ରେ ୧.୯% ଅଛି।