ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କର୍ମଚାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଓପିଟିସିଏଲ ଗ୍ରୀଡ ସବଷ୍ଟେସନ ବୁଡ଼ିପଦରରେ ଏକଜିକ୍ୟୁଟିଭ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ୮ ମାସ ହେଲା ଦରମା ପ୍ରଦାନ ବଦଳରେ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ କର୍ମଚାରୀମାନେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କର୍ମଚାରୀଙ୍କ କହିବାନୁସାରେ, ଲକଡାଉନ ଆରମ୍ଭରୁ ସେମାନଙ୍କୁ କମ୍ପାନୀ ପକ୍ଷରୁ ଦରମା ଦିଆନଯିବା ସହ ବୋନସ, ଏରିଅର, ଲିଫ ସେଲେରି ମଧ୍ୟ ଦିଆଯାଇ ନାହିଁ। କେବଳ ଏତିକି ନୁହେଁ, ଦରମା ମାଗିବାରୁ ଏବେ ସୁରକ୍ଷାକର୍ମୀଙ୍କୁ ଛଟେଇ କରାଯାଉଛି। ଅନ୍ୟପଟେ ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ସର୍ଭିସ ସଂସ୍ଥାର ଟେଣ୍ଡର ଶେଷ ହେଉଥିବାରୁ ଏଠାରେ ସାରଳା ସିକ୍ୟୁରିଟି ସର୍ଭିସ ଯୋଗ ଦେଇଛି । ଆଉ ସାରଳା ସିକ୍ୟୁରିଟି ସର୍ଭିସ ନୂତନ ପିଲାଙ୍କୁ ନିୟୋଜିତ କରୁଛି। ଫଳରେ ଦୀର୍ଘ ୭-୮ ବର୍ଷ ଧରି ଗ୍ରୀଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ ହଠାତ ଚାକିରୀରୁ ବାହାର କରିଦେଲେ ସେମାନେ ନିଜର ପରିବାର କିପରି ପ୍ରତିପୋଷଣ କରିବେ ବୋଲି ଦାବିପତ୍ରରେ ଉପସ୍ଥାପନ କରାଯାଇଛି। ତେଣୁ ସେମାନଙ୍କୁ ବକେୟା ୮ ମାସର ଦରମା ସହ ଗ୍ରୀଡରେ ପୁଃନନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଏହାସହ ସେମାନଙ୍କ ଦାବିକୁ ବିଚାର କରି ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।