ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ପାଇବେ ପରିବାର

ଏରସମା, ଏନ୍ଏନ୍ଏସ୍ : ଏରସମା ବ୍ଲକ ଅର୍ନ୍ତଗତ ପୋଖରିଆପଡ଼ା ପଂଚାୟତର ପୋଖରିଆପଡ଼ା ଗ୍ରାମର ଯୁବକ ନିଳମଣି ସ୍ୱାଇଁ (୪୦) ବିଲକୁ କାମ କରିବାକୁ ଯାଉଥିବାବେଳେ ୧୧ କେ.ଭି ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି ।

ଗ୍ରାମବାସିମାନେ ନୀଳମଣିର ଶବକୁ ଏରସମା ବିଦ୍ୟୁତ କାର୍ଯ୍ୟାଳୟକୁ ଆଣି କ୍ଷତି ପୁରଣ ଦାବିରେ ରାସ୍ତା ଉପରେ ଧାରଣାରେ ବସିଥିଲେ । ଶନିବାର ସକାଳ ୧୦ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଥିଲା। ଫଳରେ ସମସ୍ତ ଯାନବାହାନ ବନ୍ଦ ରହିଥିଲା। ଖବର ପାଇ ବି. ଡ଼ି. ଓ. କୈଳାସ ଚନ୍ଦ୍ର ବେହେରା , ଆଇ. ଆଇ. ସି ପ୍ରଶାନ୍ତ ମାଝି ,ଏସ.ଡ଼ି.ପିଓ. ଦିପକ ରଂଜନ ଜେନା , ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ବିଦ୍ୟୁତ ବିଭାଗିୟ ଏସ .ଡ ଼ି.ଓ. ନୟନ ରଂଜନ ରାଉତ ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନକାରିଙ୍କ ସହ ଆଲୋଚନା କରିଥିଲେ ।

ମାତ୍ର ଆନ୍ଦୋଳନକାରୀ ମୃତ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ତା’ର ପୁଅକୁ ଚାକିରି , ଆବାସିକ ଯୋଜନାରେ ଗୃହ ଦେବା ପାଇଁ ଦାବି କରିଥିଲେ । ବି.ଡ଼ି.ଓ. ଶ୍ରୀ ବେହେରା ଜିଲ୍ଲାପାଳ ଓ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ରେଡ଼କ୍ରସ ପାଣ୍ଠିର ୧୦୦୦୦ ଟଙ୍କା ଓ ବିଦ୍ୟୁତ ବିଭାଗ ତରଫରୁ ୨୦୦୦୦ ଟଙ୍କା ମୃତ ପରିବାରଙ୍କୁ ଦିଆଯାଇଥିଲା। ଅବଶିଷ୍ଠ ୧ ଲକ୍ଷ ପଚାଷ ହଜାର ଆସନ୍ତା ସୋମବାର ଦିନ ଚେକ ଆକାର ମାଧ୍ୟମରେ ଦେବେ ବୋଲି ନିଷ୍ପତି ନିଆଯାଇଥିଲା ।

ଏଥିରେ ସମାଜସେବି ମହେନ୍ଦ୍ର ସେନାପତି, ପଂଚାନନ ବେହେରା,ପୂର୍ବତନ ସରପଂଚ ଦିପ୍ତିରାଣୀ ପ୍ରଧାନ,ପଇଦା ସରପଂଚ ପ୍ରଦିପ୍ତ ପରିଡ଼ା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଂଜନ ସେଠୀ,ଯୁବ ନେତା ପାର୍ଥସାରଥି ରାଉତ ଆଲୋଚନାରେ ଭାଗ ନେଇଥିଲେ । ପୁଲିସ ତରଫରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ପଠାଯାଇଅଛି ବୋଲି ପୋଲିସ ସୁତ୍ରର ଜଣାପଡ଼ିଛି।

ଅପରପକ୍ଷରେ ପୋଖରିଆପଡ଼ା ଯାଇଥିବା ୧୧ କେ.ଭି ବିଦ୍ୟୁତ ଖୁଂଟ ଗୁଡ଼ିକ ବିଲ ମଝିରେ ବିନା ଢଳେଇରେ ପୋତାଯାଇଥିବାରୁ ବର୍ଷା, ପବନ ହେଲାମାତ୍ରେ ଖୁଂଟ ଗୁଡ଼ିକ ନଇଁ ଯାଉଥିବାରୁ ତାର ଗୁଡ଼ିକ ଝୁଲି ରହୁଛି । ଫଳରେ ଚାଷିମାନେ ଚାଷ କାମ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଗ୍ରାମବାସିମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବାସତ୍ୱେ ସେମାନେ ଶୁଣୁନାହାଁନ୍ତି । ଫଳରେ ବିଭିନ୍ନ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି । ଏରସମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏହିପରି ଅବ୍ୟବସ୍ଥା ଲାଗିରହିଛି ବୋଲି ଜଣାପଡ଼ିଛି ।