ହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଗଞ୍ଜାମ,ଏନ୍ଏନ୍ଏସ୍ : ଗଞ୍ଜାମ ଜିଲ୍ଲା ଉତର ଘୁମୁସର ଅନ୍ତର୍ଗତ ତାରସିଂ ବନାଚଂଳର କଳିଙ୍ଗପଦର-ଝାଡ଼ଦାର ନିକଟସ୍ଥ ଜଙ୍ଗଲରେ ଏକ ହାତୀର କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗାଁ ଲୋକେ ଆଜି ସକାଳେ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି । ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତି ଦିଆଯାଇଛି । ତେବେ ଅଦ୍ୟାବଧି ହାତୀ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।

ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଏକ ହାତୀପଲ ଆସି ଆଖପାଖ ଚାଷଜମି ମାନଙ୍କରେ ବ୍ୟାପକ ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି । ଏହି ହାତୀ ପଲରେ ଥିବା ଗୋଟିଏ ହାତୀର ମୃତ୍ୟୁ ଘଟିଛି । ଉତର ବନଖଣ୍ଡ ଡ଼ିଏଫଓ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟିର କିପରି ମୃତ୍ୟୁ ଘଟିଛି, ତାହା ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ସେ କହିଛନ୍ତି ।