ଦେବଗଡ଼,ଏନ୍ଏନ୍ଏସ୍: ୱେସ୍କୋର ଘରୋଇକରଣକୁ ବିରୋଧ କରି ଆଜି ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚର ଡାକରାରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ଓ ହୀରା ଜିଟିଡି ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନର କର୍ମଚାରୀମାନେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେବାସହ ସରକାରଙ୍କ ୱେସ୍କୋ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିସହ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ଖାଲି ପଡିଥିବା ପଦବି ତୁରନ୍ତ ପୂରଣ କରିବା ଆଦି ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ତ୍ୟବ୍ରତ ପଣ୍ଡା, ଉପଖଣ୍ଡ ଅଧିକାରୀ ଆନନ୍ଦ କାଲୋ, କନିଷ୍ଠ ଯନ୍ତ୍ରୀ ଅଭିଳାଶ ସ୍ୱାଇଁ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜନ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାମଲ, କାର୍ଯ୍ୟକାରୀ କମିଟି ସଦସ୍ୟ ବସନ୍ତ କୁମାର ପ୍ରଧାନ, ଦେବୀ ପ୍ରସାଦ ପାଲ, ସତ୍ୟ ନାରାୟଣ ବେହେରା, ତାପସ ବିଶ୍ୱାଳ, ସୁନୀଲ ଆଚାର୍ଯ୍ୟ, ବନ ବିହାରୀ ପଣ୍ଡା, ଗୌରହରି ବାରିକ, କୈଳାସ ସ୍ୱାଇଁ, ହେମଲାଲ ମାଝୀ, ହିରା ଜିଟିଡି ଡିଭିଜନାଲ ସମ୍ପାଦକ ଶିଶିର ରଣା, ମନୋଜ ନାୟକ, ସରୋଜ ସାହୁ ଓ ସରୋଜ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ ବାରକୋଟ ରିଆମାଳ, ବୁଢାପାଳ ସେକ୍ସନ ଓ ତିଲେଇବଣି ସେକ୍ସନ କାର୍ଯ୍ୟାଳୟରେ ସମ୍ପୃକ୍ତ ସେକ୍ସନର କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ବାରକୋଟ ସେକ୍ସନ କାର୍ଯ୍ୟାଳୟରେ ପୁରନ୍ଦର ସାହୁ, ରିଆମାଳ ସେକ୍ସନ କାର୍ଯ୍ୟାଳୟରେ ଯୁଧିଷ୍ଠୀର ପ୍ରଧାନ, ତିଲେଇବଣି ସେକ୍ସନ କାର୍ଯ୍ୟାଳୟରେ ସୁଶାନ୍ତ ମାଝୀ ଓ ବୁଢାପାଳ ସେକ୍ସନ କାର୍ଯ୍ୟାଳୟରେ ପ୍ରଫୂଲ୍ଲ ସାହୁଙ୍କ ନେତୃତ୍ୱରେ ବିଭାଗୀୟ ଶ୍ରମକ ଓ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।