ରକ୍ତାକ୍ତ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ,ଏନ୍ଏନ୍ଏସ୍: କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନିଜ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ମୃତକ ଦ୍ୱୟ ହେଲେ ଶ୍ରୀନାଥ ସାମଲ ଏବଂ ବିଦ୍ୟୁତଲତା ସାମଲ।

ପୁଲିସ ସୂଚନା ଅନୁସାରେ, ବେଲେଶ୍ଵର ଶିବ ମନ୍ଦିର ନିକଟରୁ ମାତ୍ର ୫୦୦ ମିଟର ଦୂରରେ ଶ୍ରୀନାଥ ଏବଂ ବିଦ୍ୟୁତଲତା ରହୁଥିଲେ। ତେବେ ଗୁରୁବାର ରାତି ପ୍ରାୟ ୧୦ଟାରେ ଜଣେ ପଡ଼ୋଶୀ ତାଙ୍କ ଘରକୁ ଆସିଥିଲେ। ମୁଖ୍ୟ ଫାଟକ ବନ୍ଦ ଥିବାରୁ ସେ ଗେଟ୍‌ ଖୋଲିବା ପାଇଁ ଶ୍ରୀନାଥଙ୍କୁ ଡାକିଥିଲେ। ଘରର ସବୁ କବାଟ ଖୋଲା ରହିଥିଲେ ମଧ୍ୟ ଭିତରୁ କିଛି ଉତ୍ତର ନ ମିଳିବାରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ସେ ଅନ୍ୟ ପଡ଼ୋଶୀଙ୍କୁ ଡାକିଥିଲେ।

ଆଉ ଜଣେ ପଡ଼ୋଶୀ ଆସି ମୁଖ୍ୟ ଫାଟକ ଡେଇଁ ଘର ଭିତରକୁ ଯିବା ପରେ ଶ୍ରୀନାଥ ଏବଂ ବିଦ୍ୟୁତ୍‌ଲତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ପୁଲିସକୁ ଜଣାଇଥିଲେ। ହତ୍ୟାର କାରଣ ଜଣାପଡ଼ି ନ ଥିଲେ ହେଁ ଉଭୟଙ୍କ ନିକଟରେ ଏକ କଟୁରି ଓ ପନିକି ପଡ଼ିଥିବା ଦେଖିବାକୁ ମିଳିଛି। କୌଣସି ପଡ଼ୋଶୀଙ୍କ ସହିତ ସେମାନଙ୍କର ଶତ୍ରୁତା ନ ଥିବାବେଳେ କିଏ କାହିଁକି ଏହି କାଣ୍ଡ ଘଟାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।