ସାନ ଭଉଣୀ ସ୍ୱାମୀର ଠେଲାପେଲାରେ ବଡ଼ ଭଉଣୀର ମୃତ୍ୟୁ

ଜୟପୁର,ଏନ୍‌ଏନ୍‌ଏସ୍‌: କୋରାପୁଟ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସାନ ଭଉଣୀ ସ୍ୱାମୀର ଠେଲାପେଲାରେ ବଡ଼ ଭଉଣୀର ମୃତ୍ୟୁ ହୋଇଛି । ଘଟଣାଟି ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟରେ ଘଟିଛି। ମୃତ ମହିଳା ଜଣକ ହେଲେ ନର୍ଗିସ ନାୟକ(୪୧) । ପୁଲିସ ସୂଚନାନୁଯାୟୀ, ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟରେ ଉପେନ୍ଦ୍ର ଭଣ୍ଡାରି ଓ ତାଙ୍କ ସ୍ତ୍ରୀ ଶର୍ମିଳା ଭଣ୍ଡାରିଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା । ସେହି ସମୟରେ ଶର୍ମିଳାଙ୍କ ବଡ଼ ଭଉଣୀ ନର୍ଗିସ ନାୟକ ଯାଇ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଉପେନ୍ଦ୍ର ଉତ୍ତ୍ୟକ୍ତ ହୋଇ ନର୍ଗିସକୁ ଠେଲି ଦେଇଥିଲେ । ଫଳରେ ନର୍ଗିସଙ୍କ ମୁଣ୍ଡ କାନ୍ଥରେ ପିଟି ହେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ସଦର ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବିଷୟରେ ତଦନ୍ତକାରୀ ଅଧିକାରୀ ନବିନ ଟପ୍ପୋ ସୂଚନା ଦେଇଛନ୍ତି ।