ଗୌହାଟୀ,ଏଜେନ୍ସି: ଆସାମରେ ବର୍ଷା କମିଥିଲେ ସୁଦ୍ଧା ବନ୍ୟା ବିତ୍ପାତ ଥମିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ବନ୍ୟାରେ ୧୪୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୂସ୍ଖଳନରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ରାଜ୍ୟର ୨୫ଟି ଜିଲ୍ଲାରେ ୨୬୦୮ ଗାଁର ପ୍ରାୟ ୩୦ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ଅଛନ୍ତି। ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।
କାଚର ଜିଲ୍ଲାରେ ସର୍ବାଧିକ ୧୪.୩୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ନାଗାଓଁରେ ପ୍ରାୟ ୫.୨୦ ଲକ୍ଷ ପ୍ରଭାବିତ ହେଉଛନ୍ତି ଏବଂ ବାରପେଟାରେ ୪ ଲକ୍ଷରୁ ଅଧିକ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି। ପ୍ରାୟ ୨୨ଟି ଜିଲ୍ଲାର ବନ୍ୟା ପ୍ରଭାବିତଙ୍କ ପାଇଁ ୫୫୧ ରିଲିଫ୍ କ୍ୟାମ୍ପରେ ରହିଥିବା ବେଳେ ୩.୦୫ ଲକ୍ଷରୁ ଅଧିକ ଲୋକ ଏବେ ବି ଅସୁବିଧାରେ ରହିଛନ୍ତି। ୮୦,୩୪୬ ହେକ୍ଟରରୁ ଅଧିକ କୃଷି ଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି।