ରାଜ୍ୟ ସରକାରଙ୍କ ଶିକ୍ଷାନୀତି ମେଧାବୀଙ୍କ ପାଦର ବେଡ଼ି ସାଜୁଛି: ଯୁବ କଂଗ୍ରେସ

ବଲାଙ୍ଗିର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଚାକିରି ନୀତି ବିରୋଧରେ ବଲାଙ୍ଗିର ଯୁବ କଂଗ୍ରେସ ଅଭିଯୋଗ କରିଛି। ଅଧିକାଂଶ ରାଜ୍ୟରେ ଚାକିରି ଆବେଦନ ସୀମା ୪୦ କିମ୍ବା ତା’ଠାରୁ ଅଧିକ ହୋଇଥିବାବେଳେ ଆମ ରାଜ୍ୟରେ ମାତ୍ର ୩୨ ବର୍ଷ ରହିଛି। ଫଳରେ ଅନେକ ମେଧାବୀ ଛାତ୍ର ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଅବସାଦ କାରଣରୁ ଉଚ୍ଚ ଶିକ୍ଷା ସମାପ୍ତ କରିବା ବେଳକୁ ଏହି ନିଯୁକ୍ତି ସୀମା ଅତିକ୍ରମ କରିଯାଉଛି। ତେଣୁ ଅନ୍ୟ ରାଜ୍ୟ ପରି ଆମ ରାଜ୍ୟରେ ମଧ୍ୟ ଏହି ସୀମାକୁ ୪୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଯୁବ କଂଗ୍ରେସ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ସରକାରଙ୍କ ଦ୍ୱାରା ଘୋଷିତ ଓପିଏସ୍ସି, ଓଏସଏସସି ଓ ଏସଏସବି ଦ୍ୱାରା ପରିଚାଳିତ ବିଭିନ୍ନ ପଦବୀଗୁଡ଼ିକ ପ୍ରତି ବର୍ଷ ପୂରଣ ହେବା କଥା। କିନ୍ତୁ ସରକାରଙ୍କ ଦ୍ୱାରା ପ୍ରଦତ୍ତତ୍ତ ବୟସ ସୀମା ଏହାକୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଉଛି। ତେଣୁ ଉପରୋକ୍ତ ବିଷୟରେ ଗୁରୁତର ସହ ବିଚାର କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବଲାଙ୍ଗିର ଯୁବ କଂଗ୍ରେସ ଅନୁରୋଧ କରିଛି। ଏହି ସମୟରେ ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ମୁଖପାତ୍ର ବ୍ୟାସଦେବ ନନ୍ଦ, ଉପସଭାପତି ଅବିନାଶ ସାଏ, ନାସୀର ଖାନ, ସଞ୍ଜିବ ହୋତା, ସଞ୍ଜୟ ମିଶ୍ର, ଅଶ୍ୱିନୀ ରାଉତ ଓ ଅନନ୍ତ ମଛଖଣ୍ଡ ଉପସ୍ଥିତ ଥିଲେ।