କେନ୍ଦ୍ର ବଜେଟ‌ରେ କ୍ରୀଡ଼ା ପାଇଁ ଅଧିକ ୭୦୦ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷର ଏସୀୟ କ୍ରୀଡ଼ା ଏବଂ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍‌ ପ୍ରସ୍ତୁତି ବର୍ଷରେ କ୍ରୀଡ଼ା ମନ୍ତ୍ରଣାଳୟକୁ ଆର୍ଥିକ ସୁଦୃଢ଼ କରିଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର ବଜେଟ୍‌ରେ କ୍ରୀଡ଼ା ପାଇଁ ପୂର୍ବ ବଜେଟ୍‌ ତୁଳନାରେ ୭୦୦ କୋଟିରୁ ଅଧିକ ଅର୍ଥ ବରାଦ କରାଯାଇଛି। ଗତବର୍ଷ ବଜେଟ୍‌ରେ କ୍ରୀଡ଼ା ପାଇଁ ୨୬୭୩.୩୫ ‌କୋଟି ମଞ୍ଜୁର ହୋଇଥିଲା ବେଳେ ଚଳିତ ବଜେଟ୍‌ରେ ଏହି ପରିମାଣ ୩୩୯୭.୩୨ କୋଟିକୁ ବୃଦ୍ଧି ପାଇଛି। ଗତବର୍ଷ ବଜେଟ୍‌ରେ କ୍ରୀଡ଼ା ପାଇଁ ପ୍ରକୃତରେ ୩୦୬୨.୬୦ କୋଟି ମଞ୍ଜୁର କରାଯାଇଥିଲା। ହେଲେ ଗୁଆଙ୍ଗ୍‌ଝୁ ଏସୀୟ କ୍ରୀଡ଼ା‌ ସ୍ଥଗିତ ରହିବାରୁ ପରିବର୍ତିତ ଆବଣ୍ଟନ ଅନୁଯାୟୀ ଏହାକୁ ୨୬୭୩.୩୫ ‌କୋଟିକୁ ହ୍ରାସ କରାଯାଇଥିଲା। ତେବେ ସ୍ଥଗିତ ଗୁଆଙ୍ଗ୍‌ଝୁ ଏସୀୟ କ୍ରୀଡ଼ା ଚଳିତ ବର୍ଷ ଆୟୋଜିତ ହେବାକୁ ଥିଲା ବେଳେ ଆସନ୍ତାବର୍ଷ ପ୍ୟାରିସ୍‌ ଅଲିମ୍ପିକ୍‌ (୨୦୨୪) ପାଇଁ ପ୍ରସ୍ତୁତି ଆଗେଇବ। ଏହି ଦୁଇଟି ବଡ଼ ପ୍ରତିଯୋଗିତାକୁ ବିଶେଷକରି ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ରୀଡ଼ା ବଜେଟକୁ ୭୨୩.୯୭ କୋଟି ବୃଦ୍ଧି କରିଛନ୍ତି।

କ୍ରୀଡ଼ା ମନ୍ତ୍ରଣାଳୟର ସବୁଠୁ ବଡ଼ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଆକୁ ଜାରି ରଖିବା ପାଇଁ ସରକାର ପ୍ରାଧାନ୍ୟତା ଦେଉଥିବାରୁ ଏଥିପାଇଁ ଗତବର୍ଷ ପରିବର୍ତିତ ବଜେଟରେ ୬୦୬ କୋଟି ମଞ୍ଜୁର ହୋଇଥିଲା ବେଳେ ଏଥର ବଜେଟ୍‌ରେ ଏହାର ପରିମାଣକୁ ୧୦୪୫ କୋଟିକୁ ବୃଦ୍ଧି କରାଯାଇଛି। ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୪୩୯ କୋଟି ଅଧିକ। ସେହିପରି ଆଥ୍‌ଲେଟ୍‌ଙ୍କ ପାଇଁ ଜାତୀୟ ଶିବିର ଆୟୋଜନ, ଆଥ୍‌ଲେଟ୍‌ଙ୍କୁ ଭିତ୍ତିଭୂମି ଓ କ୍ରୀଡ଼ା ସରଞ୍ଜାମ ଯୋଗାଇ ଦେଉଥିବା, ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଏବଂ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରୁଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଗତବର୍ଷ ତୁଳନାରେ ୩୬.୦୯ କୋଟି ଅଧିକ ମିଳିଛି।

ଗତ ବଜେଟ୍‌ରେ ସାଇ ୭୪୯.୪୩ କୋଟି ପାଇଥିଲା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ପରିମାଣ ୭୮୫.୫୨ କୋଟିକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ୍‌ସ ମଧ୍ୟ ୪୫ କୋଟି ଅଧିକ ପାଇଛି। ଗତବର୍ଷ ୨୮୦ କୋଟି ମଞ୍ଜୁର ହୋଇଥିଲା ବେଳେ ଚଳିତ ବଜେଟ୍‌ରେ ଏହି ପରିମାଣ ୩୨୫ କୋଟିକୁ ବୃଦ୍ଧି ପାଇଛି। ପୁଣି ୱାର୍ଲଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ଏବଂ ନ୍ୟାସ୍‌ନାଲ ଡୋପ୍‌ ଟେଷ୍ଟିଂ ଲାବୋଲେଟୋରି (ଏନ୍‌ଡିଓିଏଲ୍‌)କୁ ଚଳିତ ବର୍ଷ ବଜେଟ୍‌ରେ ଯଥାକ୍ରମେ ୨୧.୭୩ ଏବଂ ୧୯.୫୦ କୋଟି ମଞ୍ଜୁର କରାଯାଇଛି। ସେହିପରି ନ୍ୟାସ୍‌ନାଲ ସେଣ୍ଟର ଅଫ୍‌ ସ୍ପୋର୍ଟସ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ ପାଇଁ ସରକାର ବଜେଟ୍‌ରେ ୧୩ ‌କୋଟି ମଞ୍ଜୁର କରିଛନ୍ତି।