ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡିର ଚଢଉ, ଆର୍‌ଜେଡି ନେତାଙ୍କୁ ୧୧ ଘଣ୍ଟା ଜେରା

ନୂଆଦିଲ୍ଲୀ,ଏଜେନ୍ସି: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଗତକାଲି ଚଢଉ କରିଛି ଇଡି । ଜମି ଦୁର୍ନୀତି ସଂକ୍ରାନ୍ତରେ ତେଜସ୍ବୀଙ୍କୁ ପ୍ରାୟ ୧୧ ଘଣ୍ଟା ଧରି ତଦନ୍ତକାରୀ ସଂସ୍ଥା ଜେରା କରିଛି । ମାରାଥନ ଜେରା ପରେ ଇଡି ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦିଲ୍ଲୀ ବାସଭବନରୁ ବାହାରିଥିବା ସୂଚନା ମିଳିଛି । ତେବେ କେବଳ ତେଜସ୍ବୀ ନୁହଁନ୍ତି ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ଟିମ୍ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ଅନେକ ସମ୍ପର୍କୀୟଙ୍କ ଘରେ ମଧ୍ୟ ପଶି ଛାନଭିନ୍ କରିଛି ।

ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀଙ୍କ ଦିଲ୍ଲୀ ବାସଭବନ ଏବଂ ପୂର୍ବତନ ବିଧାୟକ ତଥା ଆରଜେଡି ନେତା ଅବୁ ଦୋଜାନାଙ୍କ ବିହାର ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ, ଏନସିଆର ଓ ବିହାରର ୧୫ରୁ ଅଧିକ ସ୍ଥାନରେ ଚଢାଉ ହୋଇଛି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି ଟିମ୍ ଆରଜେଡି ନେତାମାନଙ୍କ ବାସଭବନ ଓ ଅଫିସରେ ଏକକାଳୀନ ଚଢାଉ କରିଛନ୍ତି ।