ଅର୍ଥନୀତିର ଜନକ: ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍‌

ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍ କଲ୍ୟାଣକାରୀ ଅର୍ଥବ୍ୟବସ୍ଥାର ଜନକ ଭାବରେ ପରିଚିତ। ମହିଳା ସଶକ୍ତିକରଣ, ତାଙ୍କ ଅଧିକାର ଓ ସମାଜରେ ତାଙ୍କର ଭାଗୀଦାରୀକୁ ସେ ପ୍ରୋତ୍ସାହନ ଦେବାର ଦୃଷ୍ଟାନ୍ତ ରହିଛି। ତାଙ୍କ ଅନୁସାରେ ନାରୀ ଜାତିକୁ ସଶକ୍ତ କରିବା ଦ୍ୱାରା ଆମେ ଚାହୁଁଥିବା ଭବିଷ୍ୟତକୁ ହାସଲ କରିପାରିବା। ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଅମର୍ତ୍ତ୍ୟ ସେନ୍ ଶିକ୍ଷାର ଅଭାବ ହିଁ ଗରିବୀର ମୂଳ କାରଣ ବୋଲି କହନ୍ତି। ଅର୍ଥଶାସ୍ତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୧୯୯୮ରେ ନୋବେଲ୍ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହାପରେ ୧୯୯୯ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି।

୧୯୩୩ ମସିହା ଆଜିର ଦିନରେ ପଶ୍ଚିମ ବଙ୍ଗର ଶାନ୍ତିନିକେତନରେ ଜନ୍ମଗ୍ରହଣ କରିଥିବା ଏହି ଅର୍ଥଶାସ୍ତ୍ରୀଙ୍କ ନାମକରଣ ପ୍ରଥମ ନୋବେଲ ପାରିତୋଷିକ ବିଜୟୀ ରବିନ୍ଦ୍ରନାଥ ଟାଗୋର କରିଥିଲେ। ତାଙ୍କ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଥିଲେ ଅମର୍ତ୍ତ୍ୟ ସେନ୍। ପ୍ରାରମ୍ଭିକ ଶିକ୍ଷା ଢ଼ାକାରେ ସମାପ୍ତ କରିବା ପରେ ଶାନ୍ତିନିକେତନ ଓ ପ୍ରେସିଡେଣ୍ଟ୍ କଲେଜରୁ ସେ ଶିକ୍ଷା ପ୍ରାପ୍ତ କରିଥିଲେ। ପରେ କେମ୍ବ୍ରିଜ୍‌ର ଟ୍ରିନିଟି କଲେଜରୁ ଶିକ୍ଷା ପ୍ରାପ୍ତ କରିସାରିବା ପରେ ୧୯୫୯ରେ ସେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ୧୯୪୩ରେ ପଶ୍ଚିମ ବଙ୍ଗରେ ଭୟଙ୍କର ଅକାଳ ପଡିଥିବା ସମୟରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାର ଗଭୀର ପ୍ରଭାବ ପଡ଼ିଥିଲା ଅମର୍ତ୍ତ୍ୟ ସେନ୍‌ଙ୍କ ଉପରେ। ତେଣୁ ତାଙ୍କର କହିବା ଅନୁସାରେ ଅର୍ଥଶାସ୍ତ୍ରର ସମ୍ବନ୍ଧ ସମାଜର ନିର୍ଦ୍ଧନ ଓ ଉପେକ୍ଷିତ ଲୋକଙ୍କର ଉନ୍ନତି ସହିତ ରହିଛି। ସେ ଅର୍ଥଶାସ୍ତ୍ର ଉପରେ ୧୨୫ଟି ଅଧ୍ୟୟନ କରିଛନ୍ତି। ଦେଶର ଅନେକ ସ୍ଥାନରେ ଚାକିରି କରିବା ପରେ ୧୯୬୦-୬୧ରେ ଆମେରିକାର ମାସାଚ୍ୟୁସେଟ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅମର୍ତ୍ତ୍ୟ ସେନ୍ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ।