କେଜ୍ରିଓ୍ବାଲଙ୍କ ପାଇଁ ଖୁସି ଖବର, ମମତା ଏବଂ ଶରଦଙ୍କୁ ଝଟକା ଦେଲେ ଇସିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ରାଜନୀତିରେ ନୂଆ ପରିଚୟ ପାଇଛି । ଏଏପିକୁ ନୂତନ ଜାତୀୟ ରାଜନୈତିକ ଦଳ ଭାବେ ଆଜି(ସୋମବାର) ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ପରେ ଆମ ଆଦମୀ ପାର୍ଟି ଜାତୀୟ ଦଳ ହେବାର ସମସ୍ତ ମାପଦଣ୍ଡ ପୂରଣ କରିସାରିଥିଲା । ସେତେବେଳେ ଦଳମୁଖ୍ୟ କେଜ୍ରିଓ୍ବାଲ ଏହା ଘୋଷଣା କରିବା ସହ ଏହି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଦଳ ଏହି ମାନ୍ୟତା ହାସଲ କରିଛି ।

ମମତା ଓ ଶରଦ ନିରାଶ: ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ପଶ୍ଚିମବଙ୍ଗରେ ଶାସନରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ବରିଷ୍ଠ ନେତା ଶରଦ ପାଓ୍ବରଙ୍କ ଦଳ ଏନସିପି (ଏନ୍‌ସିପି) ଜାତୀୟ ଦଳ ତାଲିକାରୁ ବାଦ ପଡିଛନ୍ତି । ଉଭୟ ପୂର୍ବରୁ ଜାତୀୟ ଦଳ ଭାବେ ମାନ୍ୟତା ପାଇଥିବା ବେଳେ ଏବେ ନିକଟରେ ହୋଇଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ଜାତୀୟ ଦଳର ମାପଦଣ୍ଡ ପାଇଁ ଥିବା ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବା କାରଣରୁ ନିଜ ପୂର୍ବ ମାନ୍ୟତା ହରାଇବାକୁ ବାଧ୍ୟ ହୋଇଛନ୍ତି ।