ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ୪.୬ ତୀବ୍ରତା ରେକର୍ଡ

ବ୍ଲେୟାର,ଏଜେନ୍ସି: ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ କରାଯାଇଛି । ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୬ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ କାମ୍ପବେଲ ବେର ଦକ୍ଷିଣ ଦକ୍ଷିଣରୁ ୨୨୦ କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ସୂଚନା ରହିଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି । ଏହାର ଗଭୀରତା ୩୨ କିଲୋମିଟର ଆକଳନ କରାଯାଇଛି । ଏହାର ଅକ୍ଷାଂଶ ୮.୯୮ ରହିଥିବାବେଳେ ଦ୍ରାଘିମା ୯୪.୦୭ ରହିଥିଲା ।