ଗୁଣୁପୁରରେ ଜାଲନୋଟ କାରବାର; ମହିଳାଙ୍କଠାରୁ ୪ଟି ନକଲି ୨ ହଜାର ଟଙ୍କା ଜବତ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ବେଧଡ଼କ ଚାଲିଛି ଜାଲନୋଟ କାରବାର। ଆଜି ପୁରୁଣା ବସ ଷ୍ଟାଣ୍ଡରେ ଏକ କ୍ଷୀରଦୋକାନୀଙ୍କ ଠାରୁ ଜଣେ ମୁସଲିମ ମହିଳା ରେହମନ ବିବି କ୍ଷୀର କିଣିଥିଲେ। ଏହି ବାବଦକୁ ସେ ଦୋକାନୀଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ସମ୍ପୃକ୍ତ ଦୋକାନୀ ଏହା ନକଲି ବୋଲି ଜାଣିପାରିଥିଲେ। କିଛି ସମୟ ଧରି ଦୋକାନୀ ଓ କ୍ଷୀର କ୍ରୟ କରିଥିବା ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ସେହି ସମୟରେ ମହିଳା ଜଣଙ୍କ ପାଖରେ ରଖିଥିବା ୩ଟି ୨ହଜାର ଟଙ୍କିଆ ନୋଟକୁ ଚିରି ଦେଇଥିଲେ। ପୁଲିସ ଚିରିଯାଇଥିବା ନୋଟ ଓ ଦୋକାନୀକୁ ଦେଇଥିବା ୨ହଜାର ଟଙ୍କିଆ ନୋଟକୁ ଜବତ କରିଛି। ଏଥିସହ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖିଛି। ତେବେ ଲକଡାଉନ ସମୟରେ ଏତେ ପରିମାଣରେ ଜାଲନୋଟ କେଉଁଠୁ ଆସିଲା ସେନେଇ ପୁଲିସ ଗୁଣୁପୁରୁ ଥାନାରେ କେସ୍ ନମ୍ବର- ୧୩୬/୨୦୨୦ରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି।