ଧରାପଡିଲେ ନକଲି ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ: ଶିକ୍ଷୟିତ୍ରୀଙ୍କୁ କହୁଥିଲେ ଲାଞ୍ଚ ଦିଅ, ପିଲାଙ୍କୁ କହୁଥିଲେ ବସଉଠ ହୁଅ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ବୋଲି ପରିଚୟ ଦେଇ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ମହଙ୍ଗା ପଡିଲା ଯୁବକଙ୍କୁ । ଏହି ବ୍ୟକ୍ତି ଜଣକ ହେଲେ ଭୀମ ଗାଣ୍ଟା , ତାଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ଖେଦାପଡା ଗ୍ରାମରେ । ଭୀମ ବିଷମକଟକ ବ୍ଲକର ସାନସାର୍ତେଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଯାଇ ରଞ୍ଜିତା ଉଲ୍ଲାକା ନାମକ ଜଣେ ଠିକା ଶିକ୍ଷୟିତ୍ରୀଙ୍କୁ ନିଜକୁ ରାୟଗଡା ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ବୋଲି ନିଜକୁ ପରିଚୟ ଦେଇ ଧମକଚମକ ଦେବାସହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏହି ସମୟରେ ସ୍କୁଲର ଦୁଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଦେଖି ସ୍କୁଲର ଛାତ୍ର ଦୁହେଁଙ୍କୁ ଚାପୁଡା ମାରିବା ସହ ଉଠବସ କରାଇଥିଲେ । ଏହାସହ ଶିକ୍ଷୟତ୍ରୀ ଯଦିଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବ ବୋଲି ଧମକ ଦେଇଥିବା ପୁଲିସ ଅଗରେ କହିଛନ୍ତି ଶିକ୍ଷୟିତ୍ରୀ । ତେବେ ଭୀମ ଗାଣ୍ଟାଙ୍କ ଚାଲିଚଳଣିରେ ସନ୍ଦେହ ହେବାରୁ ବିଷମକଟକ ପୁଲିସର ସହାୟତା ନେଇଥିଲେ । ଫଳରେ ପୁଲିସର ଚକ୍ରବ୍ୟୁହରେ ଫସିଯାଇଥିଲେ ଭୀମ ।

ଶିକ୍ଷୟିତ୍ରୀ ଜଣକ ନିଜର ବୁଦ୍ଧି ପ୍ରୟୋଗକରି ଗ୍ରାମର ଲୋକଙ୍କୁ ଡାକିଥିଲେ। ଗ୍ରାମଲୋକ ସ୍କୁଲରେ ପହଞ୍ଚି ବ୍ୟକ୍ତିଜଣକୁ ନିଜର ପରିଚୟ ମାଗିଥିଲେ। ବ୍ୟକ୍ତିଜଣଙ୍କର ହାବଭାବ ଓ କୌଣସି ପରିଚୟ ପତ୍ର ନଥିବାରୁ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭୀମଙ୍କ ଠାରୁ ଏକ ବାଇକ ସହ ୫୦ରୁ ଉଦ୍ଧ୍ୱର୍ ଆଧାର କାର୍ଡ ଜବତ କରିଛି ।

ଏନେଇ ବିଷମକଟକ ଥାନାରେ ସ୍କୁଲ କମିଟିର ସଭାପତି ଦଣ୍ଡାସି ପିରିବାକାଙ୍କ ଏକ ଲିଖିତ ଅଭିଯୋଗ ପରେ ବିଷମକଟକ ପୁଲିସ ମାମଲା ରୁଜୁ କରି ଭୀମକୁ ଗିରଫକରି ଆଜି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ରାୟଗଡ଼ା ଏସପି ଡ।.ଶ୍ରବଣ ବିବେକ ଏମ ।