ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କେରେମେଲି ପଞ୍ଚାୟତ ପାଇକସମରା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ସ୍କୁଲ ଗେଟରେ ଛାତ୍ରଛାତ୍ରୀ ଓ ଅଭିଭାବକ ତାଲା ପକାଇଛନ୍ତି । ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୪ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି । ୩ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଦୀର୍ଘଦିନ ହେବ ଛୁଟିରେ ଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀ ବହୁବାର ଲିଖିତ ଭାବେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନାହିଁ । ସେଥିପାଇଁ ଆଜି ବାଧ୍ୟହୋଇ ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ ସ୍କୁଲ ଗେଟ ସମ୍ମୁଖରେ ଧାରଣା ଦେବାସହ ଶିକ୍ଷକ ନିୟୋଜିତ କରିବା ପାଇଁ ଦାବି କରିଥିଲେ । ଧାରଣା ଦେବାର ୪ଘଣ୍ଟା ପରେ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଶିକ୍ଷକ ନିଯୁକ୍ତ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭୋଇ ପ୍ରତିଶ୍ରୁତି ଦେବା ପରେ ଅଭିଭାବକମାନେ ତାଲା ଖୋଲିଥିଲେ । ଏହି ଆନ୍ଦୋଳନରେ କମିଟି ସଭାପତି ବିଜୟ ରଣା, କନ୍ଦର୍ପ ଭୋଇ, ନବୀନ ରଣା, ଲଷ୍ମୀଧର ମାଝୀ, ରାଧାକାନ୍ତ ମହାପାତ୍ର, ଭରତ ରଣା, ମହେନ୍ଦ୍ର ରଣା, ଦୁର୍ବାଦଳ ରଣା ଓ କୁମାରୀ ମଲ୍ଲିକ ସମେତ ଗ୍ରାମବାସୀ ସାମିଲ ହୋଇଥିଲେ ।