କେନ୍ଦୁଝର,ଏନ୍ଏନ୍ଏସ୍: ୨୦୧୭ ମସିହାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ବାମେବାରୀ ଥାନା ଅଧୀନରେ ଗୁଣି ଗାରେଡ଼ି ସନ୍ଦେହରେ ଘଟିଥିବା ଲୋମ ହର୍ଷଣକାରୀ ଡବଲ ମର୍ଡର ଘଟଣାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଳଗୋବିନ୍ଦ ବାରିକ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜୋରିମାନା ହୋଇଛି । ୧୭ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ଜାନୁଆରୀ ୧୯ ତାରିଖ ବାମେଵାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରାଜନ ବସ୍ତିରେ ଏହି ଘଟଣା ଘଟିଥିଲା । ଉକ୍ତ ବସ୍ତିର ଦିବାଇ ନାଗରର ପୁଅ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲା । ପରେ ଗୁଣିଆ ଛୁଆକୁ ଗୁଣି କରି ମାରିଦେଇଥିବା ଦିବାଇ ସନ୍ଦେହ କରିଥିଲା। ଏଥିପାଇଁ ସେହି ଗ୍ରାମର ଲକ୍ଷ୍ମୀ ନାୟକ ଉପରେ ତା’ର ସନ୍ଦେହ ବଢ଼ିଥିଲା । ଘଟଣା ଦିନ ଲକ୍ଷ୍ମୀ ନାୟକ ନିଜର ୬ ବର୍ଷର ପୁଅ କ୍ଷୀରୋଦ ନାୟକକୁ ଧରି କାଠ ଆଣିବାକୁ ପାଖ ଜଙ୍ଗଲକୁ ଯାଇଥିବାବେଳେ ପୂର୍ବରୁ ଛକି ରହିଥିବା ଦିବାଇ ଏକ ଧାରୁଆ ଛୁରୀ ସାହାଯ୍ୟରେ ଲକ୍ଷ୍ମୀକୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲା। ଏହାଦେଖି ତା’ର ୬ ବର୍ଷୀୟ ପୁଅ ପାଟି କରିବାରୁ ଦିବାଇ ତାକୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପିଲାଟିକୁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ତା’ର ମୃତ୍ୟୁ ହୋଇଥିଲା । ଏନେଇ ନାବାଳକ କ୍ଷିରୋଦର ଜେଜେ ମା’ ରଇବାରୀ ନାୟକ ବାମେବାରୀ ଥାନାରେ ଏତଲା ଦେଇଥିଲେ । ଆଉଏତଲାକୁ ଭିତ୍ତିକରି ବାମେଵାରୀ ପୁଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲେ।