ନାବାଳକ ମୁକ୍କାରେ ମଦୁଆ ବୃଦ୍ଧ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ମଦ, କ୍ରୋଧ ନେଲା ଜୀବନ। ମଦ ପିଇ ଜଣେ ବୃଦ୍ଧ ନାବାଳକ ସହ ଯୁକ୍ତି ତର୍କ କରିବାରୁ ନାବାଳକଙ୍କ ମୁକ୍କାରେ ମଦୁଆ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ତୁରୀପଡାରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଜୟ ତୁରୀ(୬୦) ମଦ ପିଇ ନିଜ ଘରକୁ ଫେରୁଥିବା ସମୟରେ ରାସ୍ତାରେ ସେହି ଅଞ୍ଚଳର ଜଣେ ନାବାଳକ ସହ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା।

ଏଥିରେ ନାବାଳକ ଜଣଙ୍କ ଉତକ୍ଷୀପ୍ତ ହୋଇ ଜୟଙ୍କୁ ଏକ ଶକ୍ତ ମୁକ୍କା ମାରିଥିଲା। ଫଳରେ ସେଠାରେ ସେ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବରପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ କେସ୍ ନଂ-୨୫୮/୨୦ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।