ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ବାହାଘର ରୋସଣି ଚାଲୁଥିବା ବେଳେ ଟିଙ୍କବୀର ଗ୍ରାମର ଜଣେ ଚୁକ୍ତିଭିତ୍ତିକ ଶିକ୍ଷକ ମଦ୍ୟପାନ କରି ଏକ ବ୍ଲେଡ ସାହାଯ୍ୟରେ ୩ ଜଣଙ୍କୁ ଆକ୍ରମଣ କରିଛି। ଫଳରେ ୩ ଜଣ ଯୁବକ ଆହାତ ହୋଇ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ଗୁଦୁରିମୁଣ୍ଡା ଗ୍ରାମର ଶ୍ରଦ୍ଧାକର ଦେହୁରୀଙ୍କର ପୁତ୍ର ସିପୁନ ଦେହୁରୀ ଧରମପୁର ଗ୍ରାମର ଦୋଳ ଗୋବିନ୍ଦଙ୍କ ମଝିଆ ଝିଅକୁ ବିବାହ ଘର ପାଇଁ ଆଜି ସ୍ଥିର ହୋଇଥିବା ବେଳେ ବିବାହଘର ରୋସଣି ସମୟରେ ଟିଙ୍କବୀର ଗ୍ରାମର ଚୁକ୍ତିଭିତ୍ତିକ ଶିକ୍ଷକ ଛବିଳ ପ୍ରଧାନ (ସିଲୁ) ବର ପକ୍ଷରୁ ଯୋଗଦେଇ ମଦ୍ୟପାନ କରି ଏକ ବ୍ଲେଡ ସାହାଯ୍ୟରେ ଗୁଦୁରିମୁଣ୍ଡା ଗ୍ରାମର ଝସକେତନ ଦେହୁରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଝସକେତନର ବେକ, ମୁଣ୍ଡ ଓ ହାତରେ ୨୦ ଟି ଷ୍ଟିଚ୍ ପଡିଥିବା ଜଣାପଡିଛି। ଏଥିସହ ଗୁଦୁରିମୁଣ୍ଡା ଗ୍ରାମର ବିକାଶ ଦେହୁରୀଙ୍କ ହାତରେ ମଧ୍ୟ ବ୍ଲେଡ ବାଜିବାରୁ ତାଙ୍କର ହାତରେ ଷ୍ଟିଚ ପଡିଛି। ସେହିପରି ଟିଙ୍କବୀର ଗ୍ରାମର ବାବୁଲାଲ ସାହୁଙ୍କୁ ସେ ହାତରେ କାଟିବାରୁ ତାଙ୍କର ହାତରେ ମଧ୍ୟ ଷ୍ଟିଚ ପଡିଛି। ଏହି ଘଟଣା ଘଟିବା ପରେ ବରଯାତ୍ରୀ ଲୋକମାନେ ଆହାତ ବ୍ୟକ୍ତି ମାନଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ।
ଏବାବଦରେ ବର ପିତା ଶ୍ରଦ୍ଧାକର ଦେହୁରୀ ରିଆମାଳ ଥାନାକୁ ଯାଇ ଲିଖିତ ଭାବେ ଅଭିଯୋଗ କରିବା ପରେ ରିଆମାଳ ଥାନା ପ୍ରଶାସନ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଗୋଷ୍ଠୀ କେନ୍ଦ୍ରକୁ ଯାଇ ଆହାତ ଯୁବକ ମାନଙ୍କର ବୟାନ ରେକର୍ଡ କରିଅଛି। ଅନ୍ୟପକ୍ଷରେ ରିଆମାଳ ଥାନା ପ୍ରଶାସନ ଉନ୍ମୁକ୍ତ ଯୁବକକୁ ଖୋଜୁଥିବା ଜଣାପଡିଛି।