ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଷ୍ଟେସନରେ ଥିବା ଏକ ଔଷଧ ଦୋକାନକୁ ଆଜି ସିଲ କରାଯାଇଛି। ଏଥିସହିତ ଆଉ ଏକ ଔଷଧ ଦୋକାନରୁ ୫ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଡ୍ରଗ୍ସ ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଷ୍ଟେସନରେ ଥିବା ସୋନୁ ମେଡିସିନ ଷ୍ଟୋରର ଲାଇସେନ୍ସ ନଥିବାରୁ ଏହାକୁ ସିଲ କରାଯାଇଥିବାବେଳେ ସଞ୍ଜିବନୀ ମେଡିସିନ ଷ୍ଟୋର କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବାରୁ ୫ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି। ସେହିପରି ବେଲପାହାଡ଼ ଷ୍ଟେସନରେ କ୍ଲିନିକ କରିଥିବା ୨ଜଣ ଡାକ୍ତରଙ୍କ ଲାଇସେନ୍ସ ଡ୍ରଗ୍ସ ଇନ୍ସପେକ୍ଟର ତନାଘନା କରିଛନ୍ତି। ଏହି ସମୟରେ ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ବେଲପାହାଡ଼ ଆଇଆଇସି ରଞ୍ଜନ ବିଶ୍ୱାଳ ଓ ପୁଲିସ ଦଳ ଉପସ୍ଥିତ ଥିଲେ। ଅନ୍ୟପଟେ ଆଜି ଏସଡିପିଓ ଦିଲ୍ଲୀପ ଦାସ ବନ୍ଧବାହାଲ ଅଞ୍ଚଳରେ ଯାଞ୍ଚ କରି କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ବିଭିନ୍ନ ଦୋକାନରୁ ୩୫ ହଜାର ଟଙ୍କାର ଫାଇନ ଆଦାୟ କରିଥିବାବେଳେ ୩ ଜଣ ବାଇକ ଆରୋହୀଙ୍କ ଲାଇସେନ୍ସ ବାତିଲ କରିଛନ୍ତି।