ପୁଲ୍‌ଓ୍ଵାମା ଆକ୍ରମଣରେ ବିସ୍ଫୋରକ ଭର୍ତ୍ତି କାର୍‌ ଚଳାଇ ନେଇଥିବା ଡ୍ରାଇଭର୍‌ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ପୁଲ୍‌ଓ୍ଵାମା ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ଭର୍ତ୍ତି କାର୍‌ର ଚାଳକଙ୍କୁ ଶୁକ୍ରବାର ଦିନ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ଗିରଫ କରିଛି। ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଦିନ ସେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଆଦିଲ ଅହମଦ୍‌ ଦର୍‌ଙ୍କୁ ‘ଆଇଇଡି’ ଭର୍ତ୍ତି କାର୍‌ରେ ବସାଇ ବିସ୍ଫୋରଣ ସ୍ଥଳ ପାଖକୁ ନେଇଯାଇଥିଲା।

ଗିରଫ ଡ୍ରାଇଭର୍‌ ହେଉଛନ୍ତି ପୁଲ୍‌ଓ୍ଵାମା ଅନ୍ତର୍ଗତ କାକପୋରା ବାସିନ୍ଦା ୨୨ ବର୍ଷିୟ ଶକିର୍‌ ବଶିର୍‌ ମାଗ୍ରେ। ସେ ଆତଙ୍କବାଦୀ ସଂଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ ସହ ସମ୍ପୃକ୍ତ। ପୁଲ୍‌ଓ୍ଵାମା ଘଟଣାରେ ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ହେଉଛନ୍ତି ମାଗ୍ରେ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଆତ୍ମଘାତୀ ଆକ୍ରମଣରେ ଆଦିଲ ନିହତ ହୋଇଥିଲା। ଏହା ପରେ ୨୦୧୯ ମାର୍ଚ ୧୧ରୁ ୨୦୨୦ ଜାନୁଆରୀ ୨୫ ତାରିଖ ମଧ୍ୟରେ ନିରାପତ୍ତା ବଳ ୫ଟି ପୃଥକ୍‌ ଅଭିଯାନରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ନିପାତ କରିଥିଲେ।

ଗିରଫ ହୋଇଥିବା ମାଗ୍ରେଙ୍କର ପୁଲ୍‌ଓ୍ଵାମା ଆକ୍ରମଣସ୍ଥଳର ଅଦୂରରେ ଗୋଟାଏ ଆସବାବ୍‌ପତ୍ର ଦୋକାନ ଅଛି। ଆକ୍ରମଣ ଦିନ ସେ ଆଦିଲ ଦର୍‌ଙ୍କ ସହ ଥିଲା ବୋଲି ସ୍ୱୀକାର କରିଛନ୍ତି। ଆଦିଲ ଉତ୍ତମ ଡ୍ରାଇଭର୍‌ ହୋଇ ନ ଥିବାରୁ ସେଦିନ ଆକ୍ରମଣରେ ବ୍ୟବହୃତ ‘ମାରୁତି ଇକୋ’ କାର୍‌କୁ ମାଗ୍ରେ ଘଟଣାସ୍ଥଳ ଆଡ଼କୁ ଚଳାଇ ନେଇଥିଲେ। ଏହି ଆତ୍ମଘାତୀ ଅଭିଯାନ ନିମନ୍ତେ ‘ଜୈଶ୍‌’ କେବଳ ଆଦିଲ୍‌ଙ୍କୁ ଚୟନ କରିଥିବାରୁ ଆକମ୍ରଣସ୍ଥଳ ଠାରୁ ପ୍ରାୟ ୫୦୦ ମିଟର ଦୂରରୁ ମାଗ୍ରେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ।