ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଶ୍ରୀମତୀ ମୁର୍ମୁଙ୍କୁ ଏନଡିଏ ସମେତ ଅନ୍ୟ କିଛି ଦଳର ସମର୍ଥନ ମଧ୍ୟ ଆବଶ୍ୟକ ରହିଛି । ସେଥିପାଇଁ ସେ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ମମତାଙ୍କୁ ଦ୍ରୌପଦୀ ମୁର୍ମୁ ସମର୍ଥନ ମାଗିଛନ୍ତି ।
ଦ୍ରୌପଦୀ ମୁର୍ମୁଙ୍କ ଏହି ଫୋନର ଜବାବ ଦେଇ ମମତା କହିଛନ୍ତି ଯେ, ମୁଁ ତାଙ୍କୁ ଶୁଭକାମନା ଜଣାଇଛି । କିନ୍ତୁ ସମର୍ଥନ ଲାଗି ହଁ କହିନାହିଁ । ଆଗକୁ କ’ଣ କରିବାର ଅଛି ତାହା ପାର୍ଟି ସ୍ଥିର କରିବ ।
ସୂଚନାଯୋଗ୍ୟ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମମତା ବାନାର୍ଜୀଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହି ସମୟରେ ସେ ସମସ୍ତଙ୍କୁ ସମର୍ଥନ ମାଗିଛନ୍ତି ।