ପ୍ରଶାସନର ଅବହେଳା; ନିଜ ଖର୍ଚ୍ଚରେ ଡ୍ରେନ ସଫାକଲେ ଗ୍ରାମବାସୀ

ସଇଁନ୍ତଳା,ଏନ୍ଏନ୍ଏସ୍: ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ସୁନ୍ଦର ପରିବେଶ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଭନ୍ଦ୍ରା ପଞ୍ଚାୟତକୁ ଏହି ଯୋଜନା ଅପହଞ୍ଚ ରହିଛି। ସୂଚନା ଅନୁସାରେ ବରଗାଁ ଜାତୀୟ ରାଜପଥ ୨୬ କଡ଼ର ଡ୍ରେନରେ କୁଢ଼ କୁଢ଼ ଆବର୍ଜନା ପଡ଼ିବା ଫଳରେ ଏହା ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା। ଏହି ରାସ୍ତା ଦେଇ ମନ୍ତ୍ରୀଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ସମେତ ହଜାର ହଜାର ଲୋକ ଦୈନନ୍ଦିନ ଯାତାୟାତ କରିଥାନ୍ତି।

ତେବେ ବର୍ଷା ଦିନ ହୋଇଥିବାବେଳେ ଏହି ଡ୍ରେନ ଜାମ ଥିବାରୁ ଗ୍ରାମରେ ପାଣି ଜମି ରହୁଥିଲା। ମାତ୍ର ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ତେଣୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ଓ ନାଥ ବୁଡା ଯୁବକ ସଂଘର ସଦସ୍ୟମାନେ ଡ୍ରେନକୁ ଜେସିବି ଓ ଟ୍ରାକ୍ଟର ଲଗାଇ ସଫା କରାଇଛନ୍ତି।

ଅନ୍ୟପଟେ ପ୍ରତେକ ବର୍ଷ ଗାଁ କଲ୍ୟାଣ ସମିତିକୁ ସ୍ୱଚ୍ଛ ରଖିବା ପାଇଁ ୧୦ହଜାର ଟଙ୍କା ଲେଖାଏଁ ଆସିଥାଏ, ହେଲେ ସେ ସବୁ ଟଙ୍କା ଯାଉଛି କୁଆଡେ ବୋଲି ସ୍ଥାନୀୟ ଜନସାଧାରଣ ପକ୍ଷରୁ ପ୍ରଶ୍ନ ହେଉଛି। ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ନାଥ ବୁଡା ଯୁବକ ସଂଘର ସଭାପତି ଝୁନୁ କୁମ୍ଭାର, ସମ୍ପାଦକ ହେମରାଜ ଭୋଇ, କୋଷାଧ୍ୟକ୍ଷ ଚିନ୍ତାମଣୀ ଭୋଇ, ଉମାକାନ୍ତ ପରା ଭୋଇ, ଜୟପାଳ କୁମ୍ଭାର, ବିଜୁ କୁମ୍ଭାର, ଅଗ୍ନିପଥୀ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମବାସୀ ଓ ଯୁବଗୋଷ୍ଠୀଙ୍କ ଏପରି ଉଦ୍ୟମକୁ ସଇଁନ୍ତଳା ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ବେଶ ପ୍ରଶଂସା କରିଛନ୍ତି।