ଡ. ପ୍ରଶାନ୍ତ କରଙ୍କୁ ଶ୍ରେଷ୍ଠ ବୈଜ୍ଞାନିକ ସମ୍ମାନ

  • ପାଟଣା, କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ରେଶମ ବୋର୍ଡ ତରଫରୁ ଡକ୍ଟର ପ୍ରଶାନ୍ତ କୁମାର କର ଶ୍ରେଷ୍ଠ ବୈଜ୍ଞାନିକ ପୁରସ୍କାର ଲାଭ କରିଛନ୍ତି। ଟସର ରେଶମ ବିଷୟରେ ଉଚ୍ଚକୋଟିର ଗବେଷଣା ତଥା ବୈଜ୍ଞାନିକ ପଦ୍ଧତିରେ ଚାଷର ପ୍ରଚାର ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ଏ ପୁରସ୍କାର ପ୍ରଦାନ କରାଯାଇଛି। ଡ. କରଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାର ଶହଶହ ଟସର ଚାଷୀ ଆଧୁନିକ ପ୍ରଣାଳିରେ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେ ୧୯୯୨ ମସିହାରେ କେନ୍ଦ୍ରୀୟ ରେଶମ ବୋର୍ଡରେ ନିଯୁକ୍ତି ପାଇବା ପରେ ବାଙ୍ଗାଲୋର, ରାଞ୍ଚି, ହସୁର ଆଦି ସ୍ଥାନରେ ଥିବା ଗବେଷଣା ସଂସ୍ଥାରେ ଗବେଷଣା କରିଛନ୍ତି। ୨୦୨୦ ମସିହା ପାଇଁ ଗତ ୧୨ ତାରିଖରେ ମୋଟ ୯ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା ହୋଇଛି। ସେମାନଙ୍କ ମଧ୍ୟରେ ଓଡ଼ିଆ ପୁଅଭାବେ ଅଛନ୍ତି ଡକ୍ଟର ପ୍ରଶାନ୍ତ କର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଫୁଲକଅଁଲେଇ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୌର ଚନ୍ଦ୍ର କର ଓ ବିଦ୍ୟୁତ୍ଲତା କରଙ୍କ ପୁଅ। ଏବେ ସେ ଛତିଶଗଡ଼ରେ ବରିଷ୍ଠ ବୈଜ୍ଞାନିକଭାବେ କାର୍ଯ୍ୟରତ। ତାଙ୍କର ଏହି କୃତିତ୍ୱ ପାଇଁ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରି ଖେଳିବା ସହ ସହପାଠୀ ଓ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି।