ମାନିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ: ‘ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ହୋଇଛି ଗୋଷ୍ଠୀ ସଂକ୍ରମଣ’

ନୂଆଦିଲ୍ଲୀ,ଏଜେନ୍ସି: କେତେକ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ କୋଭିଡ୍‌-୧୯ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । କିନ୍ତୁ ସାରା ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ତାଙ୍କର ସାପ୍ତାହିକ ସାମାଜିକ ଗଣମାଧ୍ୟମ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ ରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ରାଜ୍ୟର କେତେକ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦର୍ଶାଇବା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ, ବିଭିନ୍ନ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଦେଖାଯିବା ସତ । ମାତ୍ର ଦେଶବ୍ୟାପୀ ଏଭଳି ଘଟିନାହିଁ । କେତେକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏମିତି ଘଟେ ବୋଲି ବିଶ୍ୱାସ କରାଯାଏ ।

କେତେକ ରାଜ୍ୟର ବିଭିନ୍ନ ‘ପକେଟ୍ ’ରେ ଗୋଷ୍ଠୀ ସଂକ୍ରମଣ ରିପୋର୍ଟ ହୋଇଛି । ଦେଶ ସାରା ଏହା ଘଟୁନାହିଁ । ଭାରତରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଅସ୍ୱୀକାର କରୁଥିଲେ ମଧ୍ୟ ଜୁଲାଇ ମାସରେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଦୃଢତାର ସହ କହିଥିଲେ । ଦୁଇ ଉପକୂଳବର୍ତ୍ତୀ ପଡ଼ାଗ୍ରାମ ଯଥା ପୁନ୍ତୁରା ଏବଂ ପୁଲ୍ଲିବିଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିଲା । ଜୁଲାଇ-ଅଗଷ୍ଟ ମାସରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆସାମ ପକ୍ଷରୁ ସୂଚନା ଦିଆଯାଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଷ୍ଠୀ ସଂକ୍ରମଣ ହେବା ସମ୍ପର୍କରେ ବିଳମ୍ବରେ କହିଛନ୍ତି ।

ଦୁର୍ଗାପୂଜା ପୂର୍ବରୁ ସେ ଜନସାଧାରଣଙ୍କୁ ଏଥିନେଇ ସଚେତନ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ କୋଭିଡ-୧୯ ସଂକ୍ରମଣର ୪ଟି ପର୍ଯ୍ୟାୟ । ପ୍ରଥମେ ଗତ ଜାନୁଆରୀରେ ଭାରତକୁ କରୋନା ଭୂତାଣୁ ଆସିଲା । ଜାନୁଆରୀ ୩୦ରେ କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେଲା । ଦ୍ୱିତୀୟ ପର୍ଯ୍ୟାୟ ହେଉଛି ସ୍ଥାନୀୟ ସଂକ୍ରମଣ । ଯେଉଁ ଲୋକମାନେ ବିଦେଶ ଯାତ୍ରା କରିନଥିଲେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ । ତୃତୀୟ ପର୍ଯ୍ୟାୟ ହେଉଛି ଗୋଷ୍ଠୀ ସଂକ୍ରମଣ ଏବଂ ଚତୁର୍ଥ ପର୍ଯ୍ୟାୟ ମହାମାରୀ । ଭାରତରେ ଉପଯୁକ୍ତ ପଦକ୍ଷେପ ନିଆଯିବା ଯୋଗୁଁ ଦେଶ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।