ଚାଷୀଙ୍କୁ ଡବଲ ସହାୟତା: ପିଏମ କିଷାନ ଓ କାଳିଆ ଯୋଜନାରେ ମିଳିବ ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଡବଲ ସହାୟତା। ପ୍ରଧାନମନ୍ତ୍ରୀ ଆଜି ସାଢ଼େ ୯ କୋଟି ଚାଷୀ ପରିବାରକୁ ଅଷ୍ଟମ କିସ୍ତିରେ ପିଏମ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଟଙ୍କା ପଠାଇବେ। ମୋଟ ୧୯ ହଜାର କୋଟି ଟଙ୍କା ଚାଷୀଙ୍କ ଜମା ଖାତାକୁ ସିଧାସଳଖ ପଠାଯିବ। ଆଜି ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ସମ୍ବୋଧନ କରିବେ। ଚାଷୀଙ୍କ ସହିତ ଆଲୋଚନା ପରେ ଏହାକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପିଏମ କିଷାନ ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତି ୪ ମାସରେ ଗୋଟିଏ କିସ୍ତି ହିସାବରେ ମୋଟ ୩ଟି କିସ୍ତିରେ ଏହି ୬ ହଜାର ଟଙ୍କା ଦିଆଯାଉଛି। ଏହି ଯୋଜନାରେ ଏବେ ସୁଦ୍ଧା ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଦିଆ ସାରିଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କାଳିଆ ଟଙ୍କା ପ୍ରଦାନ କରିବେ। ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇଥିଲେ। ନୂଆ ଆର୍ଥିକ ବର୍ଷରେ ରବି ଋତୁ ପାଇଁ ରାଜ୍ୟ ସରକାର ୬୯୪ କୋଟି ଟଙ୍କା ଦେଇଥିଲେ। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଥିଲା।