ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ୍ କେଲଡ଼ା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ ଯୋଗଦେଇ ପଞ୍ଚାୟତରୁ ଆସିଥିବା ୧୦୩ଟି ବିଭିନ୍ନ ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକ ପଦକ୍ଷପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶିବିରରେ ୮୭ଟି ବ୍ୟକ୍ତିଗତ ଓ ୧୬ଟି ସାମୁହିକ ସମସ୍ୟା ରହିଥିଲା । ଶିବିରରେ କଳାକାର ଭତ୍ତା, ପାନୀୟ ଜଳ, ରାସ୍ତାଘାଟ ଓ ୪ ଡିସିମିଲ ଘରବାଡ଼ି ପଟ୍ଟା, ଭାଗବତ ଟୁଙ୍ଗୀ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ଜନସାଧାରଣ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଉପାଧ୍ୟାୟ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଙ୍କୁର ମଲ୍ଲିକ ଓ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ଲୁକାଶ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।