ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଦୁରାଇସ୍ୱାମୀଙ୍କର ଦେହାନ୍ତ

ବେଙ୍ଗାଲୁରୁ,ଏଜେନ୍ସି: ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଏଚ୍ ଏସ୍ ଦୁରାଇସ୍ୱାମୀଙ୍କର ବୁଧବାର ଅପରାହ୍ଣ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ହୃଦ୍‌ରୋଗରେ ଦେହାନ୍ତ ଘଟିଛି। ସେ ନିକଟରେ କୋଭିଡ୍‌ ସଂକ୍ରମଣରୁ ଆରୋଗ୍ୟଲାଭ କରିଥିଲେ। ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ଏହି ଗାନ୍ଧିବାଦୀ ନେତା କୋଭିଡ୍ ପରବର୍ତ୍ତୀ ଅସୁସ୍ଥତା ଦେଖାଦେବାରୁ ବେଙ୍ଗାଲୁରୁର ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଭାସ୍କୁଲାର୍ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି ହୋଇଥିଲେ। ୧୯୧୮ ଏପ୍ରିଲ ୧୦ରେ ବେଙ୍ଗାଲୁରୁରେ ଜନ୍ମିତ ହାରୋହାଲି ଶ୍ରୀନିବାସେୟା ଦୁରାଇସ୍ୱାମୀ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ।

କିଛିବର୍ଷ ତଳେ ବେଙ୍ଗାଲୁରୁରେ ପୁରୁଣା ହ୍ରଦର ପୁନରୁଦ୍ଧାର ପାଇଁ ସେ ଅଣ୍ଟାଭିଡ଼ି କର୍ଣ୍ଣାଟକରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ପଦାର୍ଥ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ଦୁରାଇସ୍ୱାମୀ ୧୯୪୨ ଜୁନ୍‌ରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ଜେଲ ଯାଇଥିଲେ। ୧୯୪୩ରେ ଜେଲରୁ ଖଲାସ ହେବାପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ସେ ମଧ୍ୟ ସାମ୍ବାଦିକତା କରିଥିଲେ ଏବଂ ପୌରବାଣୀ ନାମରେ ଏକ ସମ୍ବାଦପତ୍ର ଚଳାଉଥିଲେ।

୨୦୨୦ରେ ବିଜେପିର ଜଣେ ବିଧାୟକ ତାଙ୍କୁ ନକଲି ସ୍ୱାଧୀନତା ସଂଗ୍ରାମୀ ବୋଲି ଆକ୍ଷେପ କରିବା ଘଟଣା ସେତେବେଳେ କର୍ଣ୍ଣାଟକ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ଏହି ସମୟରେ ସେ ଏକ ସାକ୍ଷାତକାରରେ କହିଥିଲେ, ମୁଁ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନୁହେଁ। ସେମାନେ (ବିଜେପି) ମୋତେ ଆନ୍ଦୋଳନରୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛନ୍ତି ବୋଲି ସେ କ୍ଷୋଭର ସହ ପ୍ରକାଶ କରିଥିଲେ।