ବାତ୍ୟାରେ ବି ଚାଲୁ ରହିଲା ଅକ୍ସିଜେନ୍ ଯୋଗାଣ, ବାଟ କଢ଼ାଇବାରେ ସହାୟକ ହେଲା ଓଡ୍ରାଫ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସାରା ଦେଶରେ ଏବେ କୋଭିଡ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାର ଚିକିତ୍ସା ପାଇଁ ଅକ୍ସିିଜେନର ଆବଶ୍ୟକତା ବୃଦ୍ଧିପାଇଛି। ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଏଭଳି ସଙ୍କଟ ସମୟରେ ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା। ଓଡ଼ିଶାରୁ ପ୍ରସ୍ତୁତ ହେଉଥିବା ଅକ୍ସିଜେନ ଚାଲାଣ ଯୋଗୁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଉଛି। ଏପରି ସ୍ଥଳେ ବାତ୍ୟା ‘ଯାସ୍’ ଯୋଗୁଁ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟିହେବ ବୋଲି ଆଶଙ୍କା ରହିଥିଲା। ହେଲେ ବାତ୍ୟା ସତ୍ତ୍ୱେ ବି ଅକ୍ସିଜେନ ଯୋଗାଣ ଜାରି ରହିଛି। ଓଡ଼ିଶା ପୁଲିସ ଯୋଗୁ ଅକ୍ସିଜେନ ଚାଲାଣ କ୍ଷେତ୍ରରେ କୌଣସି ଅସୁବିଧା ହୋଇନାହିଁ। ବିଶେଷ କରି ଓଡ଼ିଶା ଡିଜାଷ୍ଟର ରାପିଡ ଆକ୍ସନ ଫୋର୍ସ(ଓଡିଆରଏଫ୍‌) ଟିମ୍ ଏହି ଅକ୍ସିଜେନ ଚାଲାଣ ଗାଡ଼ିଗୁଡିକୁ ବାଟ କଢ଼ାଇବାରେ ସହାୟକ ହୋଇଛି।

ଏବେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଯାଜପୁର ଜିଲ୍ଲାର କଳିଙ୍ଗନଗର ଏବଂ ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରୁ ମେଡିକାଲ ଅକ୍ସିଜେନ ଓଡ଼ିଶା ବାହାରକୁ ପଠାଯାଉଛି। ତେଣୁ ବାତ୍ୟା ପୂର୍ବରୁ ପ୍ରଭାବିହେବାକୁ ଥିବା ଜିଲ୍ଲା ବିଶେଷ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରପଡା ଜିଲ୍ଲାର ଏସ୍‌ପିମାନଙ୍କୁ ଅକ୍ସିଜେନ ଚାଲାଣରେ ଯେପରି କୌଣସି ସମସ୍ୟ ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା। ଅକ୍ସିଜେନ ଗାଡ଼ି ଯାଉଥିବା ବେଳେ ଗ୍ରୀନ କରିଡର ପ୍ରସ୍ତୁତ କରିବାକୁୂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଏସ୍‌ପିମାନେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଯୋଗାଣ ଜାରି ରଖିବା ପାଇଁ ଓଡ଼ିଶା ଡିଜାଷ୍ଟର ରାପିଡ ଆକ୍ସନ ଫୋର୍ସ(ଓଡିଆରଏଫ୍‌) ମୁତୟନ କରିଥିଲେ।

ସୂଚନା ପାଇବା ମାତ୍ରେ ସେମାନେ ବାଟ କଢ଼ାଇବା ପାଇଁ ଅକ୍ସିଜେନ ଗାଡି ପାଖରେ ପହଞ୍ଚି ଯାଉଥିଲେ। ଯେଉଁଠି ଗଛ ପଡ଼ି ରାସ୍ତା ବନ୍ଦ ହୋଇଥିଲା ସେସବୁକୁ ସଫା କରୁଥିଲେ। ଏନେଇ ଏଡିଜି ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି। ବାତ୍ୟା ଲ୍ୟାଣ୍ଡଫଲ କରିବାର କିଛି ସମୟ ପୂର୍ବରୁ ଏବଂ କିଛି ସମୟ ପରେ ଅକ୍ସିଜେନ ଗାଡ଼ି ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଥିଲା। ଗାଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ କୁହାଯାଇଥିଲା। ବାତ୍ୟା ଲ୍ୟାଣ୍ଡଫଲ ଶେଷ ହେବାର ଅଧ ଘଣ୍ଟା ପରେ ପୁଣି ଚଳାଚଳ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ବିଗତ ଏକମାସ ମଧ୍ୟରେ ଓଡ଼ିଶା ପୁଲିସ ଓଡ଼ିଶାରୁ ମୋଟ୍ ୧୧୬୭ଟି ଅକ୍ସିଜେନ ଟ୍ୟାଙ୍କର୍‌କୁ ବାଟ କଢ଼ାଇବା ସହ ଅନ୍ୟ ରାଜ୍ୟର ବର୍ଡର ପାଖରେ ପହଞ୍ଚାଇବାରେ ସହାୟତା କରିଥିଲା। ୨୧୪୭୮ ମେଟ୍ରିକ୍ ଟନ୍ ମେଡିକାଲ ଅକ୍ସିଜେନ ଅନ୍ୟ ରାଜ୍ୟ ବିଶେଷ କରି ମଧ୍ୟପ୍ରଦେଶ, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ବିହାର, ପଞ୍ଜାବ, ତାମିଲନାଡୁ, କର୍ଣ୍ଣାଟକ, ଚଣ୍ଡିଗଡ଼, ହରିଆନାକୁୁ ଚାଲାଣ କରାଯାଇଛି । ସେହିପରି ଓଡ଼ିଶାର ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ମଧ୍ୟ ମେଡିକାଲ ଅକ୍ସିଜେନ ଚାଲାଣରେ ଓଡ଼ିଶା ପୁଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।