ଆମେରିକୀୟ ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସା, ମହିଳାଙ୍କ ମୃତ୍ୟୁ ପରେ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥକଙ୍କ ଉନ୍ମୁକ୍ତ କାଣ୍ଡ। ଟ୍ରମ୍ପଙ୍କ ସମର୍ଥକମାନେ ଜୋ ବାଇଡେନଙ୍କ ବିଜୟକୁ ବିରୋଧ କରି ୟୁଏଏସ୍ କ୍ୟାପିଟାଲ ଗ୍ରାଉଣ୍ଡ ତଥା ସଂସଦ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହି ହିଂସାକାଣ୍ଡ ସମୟରେ ଅଜଣା ବ୍ୟକ୍ତିର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୱାସିଂଟନ ମେୟର ସେଠାରେ କର୍ଫ୍ୟୁ ଜାରି କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ ମଧ୍ୟ ଟ୍ରମ୍ପ ତାହାକୁ ସ୍ୱୀକାର କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଟ୍ରମ୍ପ ଟୁଇଟରେ ବିବାଦୀୟ ମନ୍ତବ୍ୟ ଦେଇ ହିଂସା ବଢ଼ାଉଥିବା ଅଭିଯୋଗ ଆଣି ଟୁଇଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସେହିପରି ଯଦି ଆବଶ୍ୟକ ହୁଏ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ଟୁଇଟର ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବାସୀଙ୍କୁ ଆହୁରି ଉଦ୍ୟମ କରିବାକୁ ପଡ଼ିବ ବୋଲି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।