ଟମ୍ପଙ୍କ ପ୍ରତିରକ୍ଷା ଉପଦେଷ୍ଟାଙ୍କୁ କରୋନା

ୱାଶିଂଟନ,ଏଜେନ୍ସି : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରୀୟ ପ୍ରତିରକ୍ଷା ଉପଦେଷ୍ଟା ରବର୍ଟ ଓବ୍ରାୟନଙ୍କର ନମୁନା ପଜିଟିଭ ଆସିଛି। ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସ୍ର ଜଣେ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଓ ଟ୍ରମ୍ପ ମିୟାମି ଗସ୍ତରେ ଯାଇଥିଲେ। ଶେଷଥର ପାଇଁ ରବର୍ଟ କେବେ ଟ୍ରମ୍ପଙ୍କୁ ଭେଟିଥିଲେ, ତାହା ଏବେସୁଦ୍ଧା ଅସ୍ପଷ୍ଟ ଅଛି। ତାଙ୍କୁ ଘରେ ରହି ହ୍ୱାଇଟ୍ ହାଉସ୍ କାର୍ଯ୍ୟ ତୁଲାଇବାକୁ କୁହାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ ଓ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ଅତିକ୍ରମ କରିଛି। ଅଦ୍ୟାବଧି ସେଠାରେ ୧ ଲକ୍ଷ ୪୯ ହଜାର କରୋନା ରୋଗୀ ପ୍ରାଣ ହରାଇଥିବାର ଜଣାପଡ଼ିଛି।