ରୋଗୀକୁ ଭାରରେ ବୋହିଲେ ଡାକ୍ତର

ମାଲକାନଗିରି,ଏନ୍ଏନ୍ଏସ୍: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଡାକ୍ତର। ଆମ୍ବୁଲାନ୍ସ ଆସିପାରିଲନି ବୋଲି ନିଜେ ଡାକ୍ତର ଭାର କରି ଜଣେ ରୋଗୀକୁ ବୋହିଛନ୍ତି।

ଏକ କି ଦୁଇ କିଲୋମିଟର ନୁହେଁ ପୂରା ୫ କିଲୋମିଟର ରୋଗୀକୁ ଭାରରେ ବୋହି ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର। ସୂଚନା ଅନୁସାରେ ରୋଗୀ ଜଣକ ୧୨ ବର୍ଷୀୟ ଅନାଥ, ଫଳରେ କୌଣସି ଗ୍ରାମବାସୀ ନଆସିବାରୁ ନିଜେ ଭାର ବୋହିଲେ ବୋଲି କହିଛନ୍ତି ଟାଗୋର ସୋସାଇଟିର ଆରୋଗ୍ୟ ପ୍ଲସର ଡାକ୍ତର ଶକ୍ତି ପ୍ରସାଦ ମିଶ୍ର। ତାଙ୍କ ସହିତ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ସାମିଲ ହୋଇଥିଲେ।

ଖବର ନେବାରୁ ଜଣା ପଡ଼ିଛି ଯେ, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଡ଼ଡୁରାଲ ପଞ୍ଚାୟତର ନୂଆଗୁଡ଼ାରୁ ବେଲବାଡ଼ିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା। ଏ ନେଇ ନିଜେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ଭାରରେ ବୋହି ପ୍ରାୟ ୫ କିମି ରୋଗୀଙ୍କୁ ଅଣିଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଡାକ୍ତରଖାନା ଯାଇଥିଲେ।