ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଶଲ୍ୟ, ନିଶ୍ଚେତକ, ଅଲଟ୍ରାସାଉଣ୍ଡ ଭଳି ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଖାଲି ରହିଥିବାରୁ ଜିଲ୍ଲାର ଜନସାଧାରଣ ନିତିଦିନ ସମସ୍ୟାର ସମ୍ମୁଖୀନ ହୋଇ ଖର୍ଚ୍ଚାନ୍ତହୋଇ ଅନ୍ୟ ଜିଲ୍ଲାର ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଗରିବ ପରିବାରର ରୋଗୀ ଅର୍ଥାଭାବରୁ ଜରୁରୀ ସମୟରେ ଜୀବନରେ ହାରୁଥିବା ଅଭିଯୋଗ କରି ଦେବଗଡ଼ ପୌରପରିଷଦ ଉପନଗରପାଳ ପ୍ରଜିତ ଭୋଜ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ବିକ୍ଷୋଭ କରିବା ନେଇ ଆଜି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଲିଖିତ ଚେତାବନୀ ଦେଇଥିବା ଜଣାପଡିଛି।
ଦୀର୍ଘଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ଖାଲି ରହୁଥିବା ବେଳେ ଏକମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର ଜିଲ୍ଲାର ଜନସାଧାରଣଙ୍କୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ କିଛିଦିନ ପୂର୍ବେ ଉପ ନଗରପାଳ ଶ୍ରୀ ଭୋଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମୌଖିକ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶ୍ରୀ ଭୋଜ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ଶ୍ରୀ ଭୋଜ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।