ଦୀପରେ ଝଲସିବ ଅଯୋଧ୍ୟା

ଅଯୋଧ୍ୟା,ଏଜେନ୍ସି: ଅଯୋଧ୍ୟାରେ ଆଜି ଭବ୍ୟ ଏବଂ ଦିବ୍ୟ ଦିପୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ। ନିଜ ବିଶ୍ୱ ରେକର୍ଡକୁ ଆଜି ପୁଣି ଥରେ ଅଯୋଧ୍ୟା ଭାଙ୍ଗିବାକୁ ଯାଉଛି। ସେହିପରି ଅଦ୍ଭୁତ ସରୟୁ ଆରତୀର ଆୟୋଜନ କରାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଆୟୋଜନରେ ସାମିଲ ହେବା ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟାକୁ ସୀମିତ ରଖିବା ପାଇଁ ଅପିଲ ହୋଇଛି।

ଶୁକ୍ରବାର ସକାଳ ୧୦ଟାରେ ସାକେତ ମହାବିଦ୍ୟାଳୟରୁ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଏଗାରଟି ରଥକୁ ଏକା ସାଙ୍ଗରେ ବାହାର କରାଯିବ। ଏହି ରଥରେ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଭିନ୍ନ ଭିନ୍ନ ପ୍ରକାରର ପ୍ରଦର୍ଶନୀ କରାଯାଇଛି। ପ୍ରଦର୍ଶନୀ ସାକେତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ନୂଆ ଘାଟ ପର୍ଯ୍ୟନ୍ତ ଯିବ।

ଦ୍ୱିପ୍ରହର ୩ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୩ଟା ବାଜି ୧୦ ମିନିଟରେ ସେ ରାମ ଜନ୍ମଭୂମି ସ୍ଥଳରେ ପହଞ୍ଚିବେ ଏବଂ ରାମ ଲଲ୍ଲାଙ୍କ ଦର୍ଶନ କରି ଦୀପ ପ୍ରଜ୍ୱଳନ କରିବେ। ଜନ୍ମଭୂମି ସ୍ଥଳରେ ମଧ୍ୟ ୧୧ ହଜାର ଦୀପ ଜଳାଯିବ। ଏହାପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାମ କଥା ପାର୍କରେ ପହଞ୍ଚିବେ।

ସନ୍ଧ୍ୟା ୪ ଟାରେ ରାମ, ସୀତା, ଲକ୍ଷଣ ଓ ହନୁମାନଙ୍କୁ ହେଲିପକ୍ଟରେ ରାମ କଥା ପାର୍କରେ ଓହ୍ଲାଯିବ ଯେଉଁଠି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରି ମାଲ୍ୟାର୍ପଣ କରିବେ। ଏହାପରେ ସନ୍ଧ୍ୟା ୫ଟାରେ ରାମ କଥା ପାର୍କରେ ସ୍ଥିତ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ପ୍ରଭୁ ରାମ, ମାତା ସୀତା, ଲକ୍ଷଣ ଓ ହନୁମାନଙ୍କୁ ଆଣିବେ ଯେଉଁଠି ଭରତ ମିଳାପ ଏବଂ ରାଜଗଦୀ କାର୍ଯ୍ୟକ୍ରମ ପରେ ଆରତୀ କରାଯିବ। ଏହାପରେ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ବୋଧନ କରିବେ। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ସରୟୁ ଘାଟ ପହଞ୍ଚି ସରୟୁ ଆରତୀରେ ସାମିଲ ହେବେ ଏବଂ ପରେ ୬ଟା ୧୫ରେ ଦିପୋତ୍ସବର ଶୁଭାରମ୍ଭ କରାଯିବ।