ଜିଲ୍ଲା ଓକିଲ ସଂଘର ଅସମ୍ପୂର୍ଣ୍ଣ ଅଫିସ କାର୍ଯ୍ୟାଳୟ ଗୃହ ନିର୍ମାଣ ଦାବୀରେ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କୁ ଭେଟି ଏକ ପତ୍ର ମାଧ୍ୟମରେ ଜିଲ୍ଲା ଓକିଲ ସଂଘର କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଜିଲ୍ଲା ସବ-ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ଜିଲ୍ଲା ଓକିଲ ସଂଘର ଅଫିସ ଦୀର୍ଘ ଦିନରୁ ଅସମ୍ପୂର୍ଣ୍ଣ ଭାବେ ରହିଛି ଓ ପୂର୍ବରୁ ଏହାକୁ ନେଇ ହାଇକୋର୍ଟରେ ଏକ ରିଟ ପିଟିସନ ନମ୍ବର ଡବଲୁପିସି ୧୯୦୬/୨୦୧୫ ପ୍ରକାରେ ଦାଖଲ କରାଯାଇଥିଲା । ବର୍ତ୍ତମାନ ଆବେଦନକାରୀ ଏହି ମାମଲାକୁ ପ୍ରତ୍ୟାହାର କରି ଦେଇଥିବାରୁ ବର୍ତ୍ତମାନ ସଂଘ କାର୍ଯ୍ୟାଳୟ କରିବା ପାଇଁ ପଥ ସୁଗମ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ମାମଲାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଜିଲ୍ଲା ଓକିଲ ସଂଘ ସମ୍ପାଦକ ତପନ ସିଂ, ଉପସଭାପତି ହରିନାରାୟଣ ବେହେରା, ଶ୍ରୀକାନ୍ତ କୁମାର ପଣ୍ଡା, ଦେବୀ ପ୍ରସାଦ ସିଂ, ବିଧୁଶେଖର ତ୍ରିପାଠୀ, ଶଶୀଗିରି ରାଓ, ବାଙ୍କ ବିହାରୀ ବିଷୋୟୀ, ପ୍ରଦୀପ କୁମାର ଦାସ, ସିମାଞ୍ଚଳ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ସୁରଜ ନାୟକ ଓ ଦାମୋଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।