କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ବିରୋଧରେ ଜିଲ୍ଲା କୃଷକ ସଂଘର୍ଷ ସଂଘର ସାମ୍ବାଦିକ ସମ୍ମିଳନୀ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କୃଷି ସମ୍ପର୍କିତ ବିଲକୁ ବିରୋଧ କରି ସ୍ଥାନୀୟ ବସନ୍ତ ନିବାସ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ସେମ ହେମ୍ବ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହେମ୍ବ୍ରମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଗତ ନୂତନ କୃଷି ନୀତି ବିଲକୁ କୃଷକ ବିରୋଧୀ ଦର୍ଶାଇ ଏହି ବିଲକୁ ଲୋକସଭାରେ ମଞ୍ଜୁରି ମିଳିଥିବାରୁ ରାଜ୍ୟ ସଭାରେ ଆଗତ ଏହି ବିଲକୁ ବିଜେଡି ବିରୋଧ କରି ରାଜ୍ୟର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

ସେହିପରି କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଧାନ ଫସଲ ପରେ ପନିପରିବା ଫଳ ଆଦି କୃଷିଜାତ ଉତ୍ପାଦର ବଜାର ସୁବିଧା ଏବଂ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ ଫୁଡ଼ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରି ଜିଲ୍ଲା କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଗୁଣନିଧି ବେହେରା, ସଚ୍ଚିଦାନନ୍ଦ ପଟ୍ଟନାୟକ ଓ ସଂଘର ଆଇନ ପରାମର୍ଶ ଦାତା ସିଦ୍ଧେଶ୍ୱର ଗୁରୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।