ଠିପିଖୋଲା ବିଦେଶୀ ମଦ ବାର ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳର ୮ ନମ୍ବର ୱାର୍ଡ ଠାରେ ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ବାର ନିଷ୍ପତି ପ୍ରତ୍ୟାହାର ଦାବିରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏ ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ସ୍ଥାନୀୟ ଗୋପାଳ ଜୀଉ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ପହଞ୍ଚି ପ୍ରସ୍ତାବିତ ବିଦେଶୀ ମଦ ନିଷ୍ପତି ପ୍ରତ୍ୟାହାର ଦାବିରେ ବିଭିନ୍ନ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଦଳୀୟ ପଦାଧିକାରୀ ଓ କର୍ମୀମାନେ ପ୍ରତିବାଦ ଶୋଭାଯାତ୍ରା ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏ ମର୍ମରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ଦେବଗଡ଼ ପୌରାଞ୍ଚଳର ୮ ନମ୍ବର ୱାର୍ଡରେ ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ବାର ପ୍ରତିଷ୍ଠା କରାଗଲେ ଅଞ୍ଚଳରେ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଉଲ୍ଲେଖ କରିବା ସହ ପ୍ରସ୍ତାବିତ ବାରର ଅନତି ଦୂରରେ ସ୍କୁଲ, ମନ୍ଦିର, ଚିକିତ୍ସାଳୟ, ଜନବସତି ଆଦି ରହିଥିବାରୁ ପ୍ରସ୍ତାବିତ ସ୍ଥାନଟି ମଦ ବାର ପ୍ରତିଷ୍ଠା ପାଇଁ ଆଦୌ ପ୍ରଯ୍ୟୁଜ ନଥିବା ଉଲେଖ କରାଯାଇଛି। ସେହିପରି ଜନ ସାଧାରଣଙ୍କ ମତାମତ ବିନା ନୀତି ନିୟମକୁ ଜଳାଞ୍ଜଳି ଦେଇ ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ବାର ପ୍ରତିଷ୍ଠା ପାଇଁ ଅବକାରୀ ବିଭାଗ ଚକ୍ରାନ୍ତ କରୁଥିବା ଅଭିଯୋଗ କରି ଏଥିରୁ ନିବୃତ ନ ହେଲେ ଦଳ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଥିଲେ।

ଏହି ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ଉପ ସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, କ୍ଷୀତିଶ ପ୍ରଧାନ, ସୁବାସ ଚନ୍ଦ୍ର ଭୋଇ, ପ୍ରକାଶ ଚନ୍ଦ୍ର ଦେବତା, ମଞ୍ଜୁଲତା ନାୟକ, ପ୍ରମୋଦ କୁମାର ମିଶ୍ର, ବିନୋଦ ବିହାରୀ ନାୟକ, ମଞ୍ଜୁଳ ନାଏକ, ମୋଇନ ଖାଁଙ୍କ ସମେତ ବହୁ ଦଳୀୟ କର୍ମୀ ଓ ପଦାଧିକାରୀ ଉପସ୍ଥିତ ଥିଲେ।