ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଡ଼କୁଦର ଟୋଲ ପ୍ଲାଜା ଦେଇ ଯାତାୟାତ କରୁଥିବା ଜିଲ୍ଲାବାସୀଙ୍କ ଯାନବାହାନକୁ ଦେୟ ମୁକ୍ତ କରିବା ଦାବୀରେ ଟୋଲ ଗେଟଠାରେ ଜିଲ୍ଲା ବିଜେଡି ପକ୍ଷରୁ ଧାରଣା ଆରମ୍ଭ କରାଯାଇଛି । ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଜାରି ରହିଥିବା ଧାରଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର,ବିଜୁ ଯୁବ, ବିଜୁ ମହିଳା ଓ ବିଜୁ କୃଷକ ମୋର୍ଚ୍ଚା ସମେତ ଶତାଧିକ କର୍ମୀ ଓ ଜନସାଧାରଣ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଶିଳ୍ପବିହୀନ ଆର୍ଥିକ ଅନଗ୍ରସର ଦେବଗଡ଼ ଜିଲ୍ଲା କୃଷି ଉପରେ ସମ୍ପୂର୍ଣ ରୂପେ ନିର୍ଭର କରୁଥିବାବେଳେ ଜିଲ୍ଲାର ଆର୍ଥିକ ଉନ୍ନତି କୃଷି ଉପରେ ନିର୍ଭରଶୀଳ । ତେବେ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ଜାତୀୟ ରାଜପଥ ଉପରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଟୋଲ ଗେଟ ସ୍ଥାପନ କରାଯାଇ ଅହେତୁକ ଟିକସ ଅସୁଲ କରୁଥିବାରୁ ଅଞ୍ଚଳର ଗରିବ ଚାଷୀ ଓ ଜନସାଧାରଣ ପ୍ରତିଦିନ କେନ୍ଦ୍ର ସରକାରଙ୍କ ଶୋଷଣର ଶିକାର ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ବିଜେଡି ପକ୍ଷରୁ ଏନଏଚଏଆଇ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜିଠୁ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଜିଲ୍ଲା ବିଜେଡି ପକ୍ଷରୁ ଟୋଲ ଗେଟ ନିକଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି ।