ଜବରଦଖଲ କାରୀଙ୍କୁ ଜିଲ୍ଲା ପ୍ରଶାସନର ଅନୁକମ୍ପା, ଭିଜିଲାନ୍ସ ତଦନ୍ତ ଦାବି

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ଚଢ଼େଇମରା ପଞ୍ଚାୟତ ଝରାବେର୍ଣ୍ଣୀ ଗ୍ରାମରୁ ଖିଲବେର୍ଣ୍ଣୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଉକ୍ତ ଗ୍ରାମର କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଫଳରେ ରାସ୍ତା ପାଇଁ ଗ୍ରାମବାସୀଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ବିବାଦୀୟ ସ୍ଥାନର ସଠିକ ନିରୂପଣ ସହ ଉକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୪ଶହ ବର୍ଷ ପୂର୍ବରୁ ଗଢି ଉଠିଥିବା ଝରାବେର୍ଣ୍ଣୀ ଗ୍ରାମର ଗୋଟିଏ ଦିଗକୁ ବାଦ ଦେଲେ ଅନ୍ୟ ୩ ଦିଗରେ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। ତେବେ ଝରାବେର୍ଣ୍ଣୀ ଠାରୁ ଖୀଲବେର୍ଣ୍ଣୀ ପର୍ଯ୍ୟନ୍ତ ପଞ୍ଚାୟତ ରାସ୍ତା ଉପରେ ଦୀର୍ଘ ବର୍ଷ ଧରି ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତାର ପ୍ଲଟ୍ ନଂ-୫୭୩ ଖାତା ନଂ-୮୫ ଗୋର କିସମର ସରକାରୀ ରେକର୍ଡରେ ରହିଥିବାବେଳେ ସେହି ଗ୍ରାମର ଅର୍ଜୁନ ମଣୀ ସାହୁ, ହୃଷୀକେଶ ସାହୁ ଓ ଅଭିରାନ ସାହୁ ପ୍ରମୁଖ ଉକ୍ତ ପ୍ଲଟକୁ ଜବରଦଖଲ କରି ରଖିଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗତ କିଛି ବର୍ଷ ପୂର୍ବେ ଉକ୍ତ ପଞ୍ଚାୟତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ୨୦୧୪ ମସିହାରୁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନ ହୋଇପାରି ନାହିଁ। ରାଜସ୍ୱ ବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ ପୂର୍ବରୁ ସରଜମିନ ତଦନ୍ତ କରାଯାଇ ଏହା ସରକାରୀ ପ୍ଲଟ ବୋଲି ଚିହ୍ନଟ କରାଯାଇଥିଲା। କିନ୍ତୁ ଜବରଦଖଲ କାରୀ ଅସାଧୁ ମେଣ୍ଟ କରି ସରଜମିନ ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଇଥିଲା। ଜବରଦଖଲକାରୀଙ୍କ ସମ୍ପର୍କୀୟ ଉକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ଉକ୍ତ ବିବାଦୀୟ ପ୍ଲଟକୁ ଜବରଦଖଲ କାରୀଙ୍କ ନାମରେ ରେକର୍ଡ ଭୁକ୍ତ କରିବାକୁ ନାନା ଫନ୍ଦି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏଥିସହ ଅଧିଷ୍ଠିତ ରାଜସ୍ୱ ବିଭାଗର ଅଧିକାରୀ ଜଣଙ୍କ ଭୁଲ ରିପୋର୍ଟ ଉପସ୍ଥାପନ କରି ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖିଛନ୍ତି। ତେଣୁ ଉକ୍ତ ବିବାଦୀୟ ପ୍ଲଟକୁ ଏକ ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ପୁନଃ ସରଜମିନ ତଦନ୍ତ ଦାବି ହୋଇଛି। ଏନେଇ ଗ୍ରାମର ତୀର୍ଥବାସୀ ପ୍ରଧାନ, ତ୍ରିପାଠୀ ନାଏକ, ଚଉଷଠୀ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସହ ଗ୍ରାମ୍ୟ ରାସ୍ତା ଚୋରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ।